ତିହାରର ୭ ନମ୍ବର ଜେଲରେ ରହିବେ ଚିଦାମ୍ବରମ

ନୂଆଦିଲ୍ଲୀ:ଦିଲ୍ଲୀର ସ୍ଵତନ୍ତ୍ର ସିବିଆଇ କୋର୍ଟ ଆଇଏନଏକ୍ସ ମିଡ଼ିଆ ସ୍କାମ ମାମଲାରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମଙ୍କୁ ସେପ୍ଟେମ୍ବର ୧୯ ପର୍ଯ୍ୟନ୍ତ ତିହାର ଜେଲକୁ ପଠାଇଛନ୍ତି। ଅଦାଲତ ତାଙ୍କୁ ଜେଲରେ ନିଜର ଔଷଧ ନେବାକୁ ଅନୁମତି ଦେଇଛନ୍ତି। ଚିଦାମ୍ବରଙ୍କ ଜେଡ୍ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଦାଲତ ତାଙ୍କୁ ଅଲଗା କୋଠରୀରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କୁ ତିହାରର ୭ ନମ୍ବର ଜେଲରେ ରଖାଯିବ। ସଲିସିଟର ଜେନେରାଲ ତଷାର ମେହତା କୋର୍ଟକୁ ଆଶ୍ଵାସନା ଦେଇଛନ୍ତି ଯେ ଜେଲରେ ଚିଦାମ୍ବରମଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ରହିବ। ଗୁରୁବାର ଶୁଣାଣି ସମୟରେ ପି ଚିଦାମ୍ବରମ ତିହାର ଜେଲରେ ଓ୍ଵେଷ୍ଟର୍ଣ୍ଣ ଟଏଲେଟ୍, ଚଷମା, ଔଷଧ, ସୁରକ୍ଷା ଓ ଅଲଗା ବ୍ୟାରେକ୍ ଦାବି କରିଥିଲେ।

ଏଥିପାଇଁ ପି ଚିଦାମ୍ବରମଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଓକିଲ କପିଲ ସିବ୍ବଲ ଏକ ଆବେଦନ ଦାଖଲ କରିଥିଲେ। ଏହା ପରେ କୋର୍ଟ ଚିଦାମ୍ବରମଙ୍କୁ ଜେଲରେ ଏସବୁ ସୁବିଧା ଦେବାକୁ ମଞ୍ଜୁରୀ ଦେଇଛନ୍ତି। କପିଲ ସିବ୍ବଲ କୋର୍ଟରେ କହିଛନ୍ତି ଯେ ପି ଚିଦାମ୍ବରମ ଇଣ୍ଡିଆନ ଟଏଲେଟରେ ବସି ପାରୁ ନାହାନ୍ତି। ତେଣୁ ତାଙ୍କୁ ଜେଲରେ ଓ୍ଵେଷ୍ଟର୍ଣ୍ଣ ଟଏଲେଟ୍ ଉପଲବ୍ଧ କରାଯାଉ। ଏହା ସହିତ ଚିଦାମ୍ବମରଙ୍କୁ ଜେଲ ପରିସରରେ ସୁରକ୍ଷା ମଧ୍ୟ ଉପଲବ୍ଧ କରାଯାଉ। 

ସିବିଆଇ କୋର୍ଟରେ ଓକିଲ କପିଲ ସିବ୍ବଲ କହିଛନ୍ତି ଯେ ପି ଚିଦାମ୍ବରମଙ୍କୁ ପୂର୍ବରୁ ଜେଡ୍ କାଟାଗୋରୀ ସୁରକ୍ଷା ମିଳିଛି। ଏହି ଦୃଷ୍ଟିରୁ ତାଙ୍କୁ ଜେଲ୍ ପରିସରରେ ମଧ୍ୟ ସୁରକ୍ଷା ଉପଲବ୍ଧ କରାଯିବା ଉଚିତ୍। ପି ଚିଦାମ୍ବରମଙ୍କୁ ଅଲଗା ବ୍ୟାରେକରେ ରଖାଯାଉ କାରଣ ସେ ଅନ୍ୟ ବ୍ୟାରେକରେ ରହିବାକୁ ଚାହୁଁ ନାହାନ୍ତି।  

ପି ଚିଦାମ୍ଵରମଙ୍କ ପକ୍ଷରୁ ହାଜର ଓକିଲ କପିଲ ସିବ୍ବଲଙ୍କ ସବୁ ଅପିଲକୁ କୋର୍ଟ ସ୍ଵୀକାର କରିଛନ୍ତି। ଏହା ସହିତ କୋର୍ଟ କହିଛନ୍ତି ଯେ ଜେଲରେ ମ୍ୟାନୁଆଲ ମୁତାବକ ଚିଦାମ୍ବରମଙ୍କୁ ସମସ୍ତ ସୁବିଧା ଉପଲବ୍ଧ କରାଯାଉ। 

ତିହାର ଜେଲର ନିର୍ଦ୍ଦେଶକ ଜେନେରାଲ ସନ୍ଦୀପ ଗୋଏଲ କହିଛନ୍ତି ଯେ ପି ଚିଦାମ୍ବରମଙ୍କୁ ଜେଲ ନମ୍ବର ୭ ଏବଂ ଅଲଗା ବ୍ୟାରେକରେ ରଖାଯିବ। ତାଙ୍କୁ ଖାଦ୍ୟରେ ରୋଟି, ଡାଲି ଓ ତରକାରୀ ଦିଆଯିବ। ଏହା ସହିତ ଜରୁରୀ ଔଷଧ, ଚଷମା, ସୁରକ୍ଷା ଓ ପାଶ୍ଚାତ୍ୟ ଶୌଚାଳୟ ସମେତ ସେହି ସମସ୍ତ ସୁବିଧା ଦିଆଯିବ ଯେ ସବୁକୁ କୋର୍ଟ ଅନୁମତି ଦେଇଛନ୍ତି। 

ଉଲ୍ଲେଖଯୋଗ୍ୟ, ପି ଚିଦାମ୍ବରମଙ୍କୁ ସିବିଆଇ ଅଗଷ୍ଟ ୨୨ରେ ଗିରଫ କରିଥିଲା। ଏହା ପରେ ସେ ୧୫ ଦିନ ପର୍ୟ୍ୟ୍ନ୍ତ ସିବିଆଇ ହେପାଜତରେ ଥିଲେ। ଆଜି ରିମାଣ୍ଡ ଅବଧି ଶେଷ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଗୁରୁବାର କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଏବେ ସେ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ତିହାର ଜେଲରେ ରହିବେ।