ନାଗରିକତା ସଂଶୋଧନ ବିଲକୁ ନେଇ ଆସାମରେ ବଢ଼ିଲା ଅଶାନ୍ତି; ୧୦ ଜିଲ୍ଲାରେ ଇଂଟରନେଟ ସେବା ବନ୍ଦ

ଗୌହାଟୀ: ନାଗରିକତା ସଂଶୋଧନ ବିଲକୁ ବିରୋଧ କରି ଆସାମରେ ଦିନକୁ ଦିନ ଅଶାନ୍ତି ବଢ଼ି ଚାଲିଛି । ଆଜି ଏହାକୁ ନେଇ ରାଜଧାନୀ ଦିସପୁରରେ ପୋଡାଜଳା ଦେଖିବାକୁ ମିଳିଛି । ଏଥିସହ ୧୦ଟି ଜିଲ୍ଲାରେ ଇଂଟରନେଟ୍ ସେବା ବନ୍ଦ ହୋଇଥିବା ଜଣାପଡିଛି ।

ଇଂଟରନେଟ୍ ସେବା ରାଜ୍ୟର ଲକ୍ଷ୍ମୀପୁର, ତିନସୁକିଆ, ଢେମାଜୀ, ଡିବ୍ରୁଗଢ଼, ଚରାୟଦେବ,  ଶିବସାଗର, ଜୋରହାଟ, ଗୋଲଘାଟ, କାମରୂପ ମେଟ୍ରୋ ଓ କାମରୂପ ଜିଲ୍ଲାରେ ବନ୍ଦ କରାଯାଇଛି। ଉଲ୍ଲେଖଯୋଗ୍ୟ, ନାଗରିକତ୍ଵ ସଂଶୋଧନ ବିଧେୟକ(ସିଏବି) ୨୦୧୯ ବିରୋଧରେ ଆସାମରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଆନ୍ଦୋଳନ ଉଗ୍ର ରୂପ ଧାରଣ କରିଛି। ରାଜ୍ୟରେ ଅନେକ ସଂଗଠନ ଏହାକୁ ବିରୋଧ କରି ସଡ଼କକୁ ଓହ୍ଲାଇଛନ୍ତି। ବିଭିନ୍ନ ରାସ୍ତାରେ ଟାୟାର ଜାଳି ବିରୋଧ ପ୍ରଦର୍ଶନ କରାଯାଇଛି।

ଅନ୍ୟପଟେ ବିରୋଧ ପ୍ରଦର୍ଶନ କାରଣରୁ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସନଓ୍ଵାଲ ବିମାନ ବନ୍ଦରରେ ଫସି ରହିଥିଲେ।  ଗୌହାଟୀରେ ତୀବ୍ର ବିରୋଧକୁକ ଦେଖି ସୋନଓ୍ଵାଲଙ୍କୁ ବିମାନ ବନ୍ଦରରେ ଅନେକ ଘଣ୍ଟା ବିତାଇବାକୁ ପଡ଼ିଛି। ପୂରା ରାଜ୍ୟରେ ଛାତ୍ର ଗୋଷ୍ଠୀ ଏହି ବିଧେୟକକୁ ତୀବ୍ର ବିରୋଧ କରି ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି। ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ସେନାକୁ ମଧ୍ୟ ପ୍ରସ୍ତୁତ କରାଯାଇଛି। ଏହା ବ୍ୟତୀତ ଅର୍ଦ୍ଧସୈନିକ ବଳର ୫୦୦୦ ଯବାନଙ୍କୁ ମଧ୍ୟ ପଠାଯାଇଛି।

ନାଗରିକତା ସଂଶୋଧନ ବିଧେୟକ ବିରୋଧରେ ଛାତ୍ର ଗୋଷ୍ଠୀ ରାଜ୍ୟ ସଚିବାଳୟ ଘେରାଉ କରିବାକୁ ଉଦ୍ୟମ କରିଥିଲେ। ଉତ୍ତ୍ୟକ୍ତ ଛାତ୍ର ପୋଲିସର ଅବରୋଧ ଭାଙ୍ଗି ଆଗକୁ ବଢ଼ିଥିଲେ। ଶେଷରେ ସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା। ଲୁହବୁହା ଗ୍ୟାସ୍ ପ୍ରୟୋଗ କରିବାକୁ ପଡ଼ିଥିଲା। ଲାଠିଚାର୍ଜରେ ଅନେକ ଛାତ୍ର ଆହତ ହୋଇଥିବା କୁହାଯାଉଛି।

ସେହିପରି ଗୌହାଟୀ ବ୍ୟତୀତ ଡିବ୍ରୁଗଢ଼ ଜିଲ୍ଲାରେ ପ୍ରଦର୍ଶନକାରୀ ଓ  ପୋଲିସ ମଧ୍ୟରେ ସଂଘର୍ଷ ଘଟିଛି। ଏଠାରେ ପଥରମାଡ଼ରେ ଜଣେ ଗଣମାଧ୍ୟମ ପ୍ରତିନିଧି ଆହତ ହୋଇଛନ୍ତି। ସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସ ପ୍ରଦର୍ଶନକାରୀଙ୍କ ଉପରେ ରବର ମାଡ଼ କରିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛି। ରାଜ୍ୟର ଜୋରହାଟ, ଗୋଲାଘାଟ, ଡିବ୍ରୁଗଢ଼, ତିନସୁକିଆ, ଶିବସାଗର, ବୋଙ୍ଗାଇଗାଁ, ନଗାଁଓ ଓ ଅନ୍ୟ ଜିଲ୍ଲାରେ ସକାଳୁ ବଡ଼ ସଂଖ୍ୟାରେ ଲୋକ ସଡ଼କକୁ ଓହ୍ଲାଇ ଟାୟାର ଜାଳି ସିଏବି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।