ଶ୍ରୀନଗର: ଆଜି ଅଫଜଲ ଗୁରୁର ମୃତ୍ୟୁବାର୍ଷିକୀ । ତେବେ ସତର୍କତାକୁ ଦୃଷ୍ଟିରେ ରଖି କଶ୍ମୀର ଘାଟିରେ ଇଂଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । ୨୦୦୧ରେ ହୋଇଥିବା ଭାରତୀୟ ସଂସଦ ଉପରେ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୩ ଫେବୃଆରୀ ୯ରେ ଫାଶୀ ଦିଆଯାଇଥିଲା ।
ଜାମ୍ମୁ ଓ କଶ୍ମୀର ମୁକ୍ତି ସାମୁଖ୍ୟ (ଜେକେଏଲଏଫ) ପକ୍ଷରୁ ଫେବୃଆରୀ ୯ ଅଫଜଲର ମୃତ୍ୟୁବାର୍ଷିକୀ ଓ ଫେବୃଆରୀ ୧୧ ମକବୁଲ ଭଟର ମୃତ୍ୟୁବାର୍ଷିକୀ ଉପଲକ୍ଷେ ଘାଟିରେ ବନ୍ଦ ଡାକରା ଦିଆଯାଇଛି । ଭଟ ହେଉଛି ଜାତୀୟ ମୁକ୍ତି ସାମୁଖ୍ୟ (ଏନଏଲଏଫ୍)ର ପ୍ରତିଷ୍ଠାତା । ଭାରତ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ତାକୁ ୧୯୮୪ ମସିହାରେ ଦିଲ୍ଲୀର ତିହାର ଜେଲରେ ଫାଶୀ ଦିଆଯାଇଥିଲା ।
ମିଳିଥିବା ସୂଚନା ଅନୁସାରେ ରବିବାର ବନ୍ଦ ପାଳନ ଯୋଗୁଁ ସମଗ୍ର କଶ୍ମୀର ଘାଟିରେ ଜୀବନଯାତ୍ରା ବ୍ୟାହତ ହୋଇଛି । ସାଧାରଣ ପରିବହନ ବ୍ୟବସ୍ଥା ମଧ୍ୟ ଅଚଳ ହୋଇଯାଇଛି । ସେନା ଓ ସୁରକ୍ଷାବଳ ପକ୍ଷରୁ ଶ୍ରୀନଗର ଓ ଅନ୍ୟ ଅଂଚଳରେ ପାଟ୍ରୋଲିଂ କରାଯାଉଛି ଓ ଗୁଜବ ଉପରେ ବିଶ୍ୱାସ ନକରିବାକୁ ନିବେଦନ କରାଯାଇଛି । ଏହି ବନ୍ଦ ଡାକରା ଦିଆଯଇଥିବା ଜେକେଏଲଏଫ ନେତା ମାନଙ୍କ ବିରୋଧରେ ପୋଲିସ ପକ୍ଷରୁ ଏଫଆଇଆର ରୁଜ୍ଜୁ କରାଯାଇଛି ।
ଗତ ଅଗଷ୍ଟ ମାସରେ ଜମ୍ମୁ ଓ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ଲମ୍ବା ସମୟ ଧରି ସେଠାରେ ଇଂଟରନେଟ୍ ସେବା ବନ୍ଦ ଥିଲା । କିଛି ଦିନ ପୂର୍ବେ ହିଁ ଏହାକୁ ଚାଲୁ କରାଯାଇଥିଲା ।