ଜମ୍ମୁ-କଶ୍ମୀରରେ ଆରମ୍ଭ ହେଲା ମୋବାଇଲ ଏବଂ ଇଂଟରନେଟ୍ ସେବା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ଲଗାଯାଇଥିବା ବିଭିନ୍ନ ପ୍ରତିବନ୍ଧକକୁ ଆସ୍ତେ ଆସ୍ତେ କୋହଳ କରାଯାଉଛି । ତେବେ ଜଣାପଡିଛି ଯେ, ଆଜି ମୋବାଇଲ ସେବା ଆରମ୍ଭ ହୋଇଛି । ଅର୍ଥାତ୍ ପ୍ରଶାସନ ଏବେ ପ୍ରିପେଡ୍ ସିମ୍ କାର୍ଡସ୍ ଉପରେ ଭଏସ ଏବଂ ଏସଏମଏସ ସେବାକୁ ପୁଣିଥରେ ଆରମ୍ଭ କରିଛନ୍ତି । ଏହାସହ ପୋଷ୍ଟ ପେଡ୍ ଉପରେ ଇଂଟରନେଟ୍ ସେବାକୁ ମଧ୍ୟ ଚାଲୁ କରାଯାଇଛି । ଏହାସହ ୩୬ ଜଣ କେନ୍ଦ୍ରମନ୍ତ୍ରୀ ଜମ୍ମୁ କଶ୍ମୀରରେ ବିକାଶ ସମ୍ୱନ୍ଧିତ କାର୍ଯ୍ୟକୁ ନେଇ ସଚେତନା ସୃଷ୍ଟି କରିବା ପାଇଁ ଗସ୍ତ କରିବେ ।

ଜମ୍ମୁ କଶ୍ମୀରର ମୁଖ୍ୟ ଶାସନ ସଚିବ ରୋହିତ କଂସଲ କହିଛନ୍ତି ଯେ ସ୍ଥିତକୁ ଅନୁଧ୍ୟାନ କରିବା ପରେ କଶ୍ମୀରର ସମସ୍ତ ସ୍ଥାନୀୟ ପ୍ରିପେଡ୍ ସିମ୍ କାର୍ଡସ ଉପରେ ଭଏସ ଏବଂ ଏସଏମଏସ ସେବା ପୁଣି ଥରେ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଜମ୍ମୁ କଶ୍ମୀରର ୧୦ ଜିଲାରେ ପୋଷ୍ଟପେଡ ଉପରେ ଇଂଟରନେଟ୍ ସେବାକୁ ମଧ୍ୟ ପୁଣି ଥରେ ଆରମ୍ଭ କରାଯାଇଛି । କିନ୍ତୁ, ଏବେ ବଡଗାମ, ଗଣ୍ଡରବଲ , ବାରାମୁଲା, ଶ୍ରୀନଗର, କୁଳଗ୍ରାମ, ଅନନ୍ତନାଗ, ଶୋପିଆଁ ଏବଂ ପୁଲବାମାରେ ଇଂଟରନେଟ୍ ସେବା ବନ୍ଦ ରହିଛି ।

ଏହାସହ ଶନିବାରରୁ ଗୁରୁବାର ମଧ୍ୟରେ ୩୬ ଜଣ କେନ୍ଦ୍ର ମନ୍ତ୍ରୀ ଜମ୍ମୁ-କଶ୍ମୀର ଗସ୍ତ କରିବେ । କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଜୀ.କିଷନ ରେଡ୍ଡୀ ସୂଚନା ଦେଇଥିଲେ ଯେ ଏହି ଗସ୍ତର ଉଦ୍ଦେଶ୍ୟ ଧାରା ୩୭୦କୁ ଉଚ୍ଛେଦ କରିବା ପରେ ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା । କେନ୍ଦ୍ର ମନ୍ତ୍ରୀ କହିଥିଲେ, ମୁଁ କଶ୍ମୀର ସ୍କୁଲ, କଲେଜ ଏବଂ ହସ୍ପିଟାଲ ଗସ୍ତ କରିବି । ଗତ ୫ମାସ ମଧ୍ୟରେ ପ୍ରଶାସନ ଯେଉଁ ବିକାଶ କାର୍ଯ୍ୟ କରିଛି ସେ ସମ୍ପର୍କରେ ଆମେ ତାଙ୍କୁ ଜଣାଇବୁ ।