ବସରେ ମହିଳାଙ୍କ ସିଟରେ ବସିଲେ ପଡିବ ଜୋରିମାନା

ଭୁବନେଶ୍ୱର: ବସରେ ମହିଳାଙ୍କ ସିଟରେ ପୁରୁଷ ବସିଲେ ପଡିବ ଜୋରିମାନା ।ଏହାସହ କଟକଣା ଅବମାନନା କଲେ ଦେବାକୁ ପଡିବ ଫାଇନ୍ ।

ଏନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ବସରେ ମହିଳା ଯାତ୍ରୀଙ୍କ ସିଟ୍ ସଂରକ୍ଷଣ ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ। ଯଦି ମହିଳାଙ୍କ ସିଟରେ ପୁରୁଷ ଯାତ୍ରୀ ବସିବେ ତେବେ ନିୟମ ଅନୁସାରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଏଣିକି ଘରୋଇ ହେଉ କିମ୍ବା ସରକାରୀ ବସ୍, ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସିଟରେ ପୁରୁଷ ବସିଲେ ଦେବାକୁ ପଡ଼ିବ ଜରିମାନା। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ଖୁବଶୀଘ୍ର ବିଜ୍ଞାପ୍ତି ପ୍ରକାଶ ପାଇବ। ସେହିପରି ମହିଳାମାନେ ସୁରକ୍ଷିତ ବାବରେ ବସରେ ଯାତ୍ରା କରିବା ପାଇଁ ଟୋଲ ଫ୍ରୀ ନମ୍ବର ପ୍ରକାଶ କରାଯିବ। ଯଦି କୌଣସି ମହିଳା ବସ୍ ଭିତରେ ଅସଦଆଚରଣର ଶିକାର ହୁଅନ୍ତି ତେବେ ସେ ଟୋଲ ଫ୍ରୀ ନମ୍ବରରେ ଫୋନ କରିପାରିବେ। ଫଳରେ ମହିଳାଙ୍କୁ ଖୁବ୍ ଶୀଘ୍ର ସୁରକ୍ଷା ଯୋଗାଇ ଦିଆଯିବ।

ଏହି ଟୋଲ ଫ୍ରୀ ନମ୍ବର ବସରେ ସମସ୍ତେ ଦେଖିପାରୁଥିବା ଭଳି ସ୍ଥାନରେ ଲେଖାଯିବ। ଏତଦ୍ ବ୍ୟତୀତ ଯଦି କୌଣସି ଯାତ୍ରୀ ସେହି ସମୟରେ ଫୋନ କରିବାକୁ ଅସମର୍ଥ ହୁଅନ୍ତି ତେବେ ସେ ହ୍ଵାଟସ ଆପ କିମ୍ବା ଏସଏମଏସ ଜରିଆରେ ସୂଚନା ଦେଇପାରିବେ। ଅଭିଯୋଗ ମିଳିବା ପରେ ଖୁବ୍ ଶୀଘ୍ର ସହାୟତା ପ୍ରଦାନ କରାଯିବ।

ଏତଦ୍ ବ୍ୟତୀତ କଣ୍ଡକ୍ଟରମାନେ ଯାତ୍ରୀମାନଙ୍କୁ ଉତମ ବ୍ୟବହାର କରିବେ, ମଦ୍ୟପାନ କରି ଡ୍ୟୁଟି କରିବେ ନାହିଁ, ମହିଳା ଯାତ୍ରୀଙ୍କୁ ଯଥା ସମ୍ଭବ ବସାଇବାକୁ ଉଦ୍ୟମ କରିବେ ସେ ନେଇ ଘରୋଇ ବସ୍ ମାଲିକମାନେ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।