ପାଞ୍ଚ ଜିଲ୍ଲାରେ ଆରମ୍ଭ ହେବ ମିଶନ ଇନ୍ଦ୍ରଧନୁଷ-୨

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ଆରମ୍ଭ ହେବ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ମିଶନ ଇନ୍ଦ୍ରଧନୁଷ-୨ । ଗଜପତି, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡାରେ ମିଶନ ଇନ୍ଦ୍ରଧନୁଷ ଯୋଜନାରେ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଲାଗି ପୂର୍ଣ୍ଣ ପ୍ରସ୍ତୁତି ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖିଛନ୍ତି । ଏହି ସବୁ ଜିଲ୍ଲାର ସମସ୍ତ ଗ୍ରାମ, ପଡା ଓ ବସ୍ତି ଗୁଡିକରେ ଥିବା ପିଲା ଓ ଗର୍ଭବତୀ ମହିଳାଙ୍କୁ ଠାବ କରିବା ସହିତ ପୂର୍ବଥର ଟୀକାକରଣରୁ ବାଦ୍‍ ପଡିଥିବା ସମସ୍ତଙ୍କୁ ଏଥିରେ ସାମିଲ କରିବାକୁ ସେ କହିଛନ୍ତି । ଏହି ଟୀକାକରଣ ଅଭିଯାନରେ ଛୋଟ ପିଲା ଓ ଗର୍ଭବତୀ ମହିଳାଙ୍କୁ ଯେଭଳି ଟୀକାଦାନ କରାଯିବ ତାହା ଉପରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଗୁରୁତ୍ୱ ଦେଇଛନ୍ତି । ଟୀକାଦାନ ସଂକ୍ରାନ୍ତରେ ନିୟମିତ ସମୀକ୍ଷା କରିବା ଏବଂ ଏହାର ସଫଳତା ପାଇଁ ବିଭିନ୍ନ ବିଭାଗ ସହିତ ସମନ୍ୱୟ ରକ୍ଷା ସହିତ ସେମାନଙ୍କୁ ଏଥିରେ ସାମିଲ ପାଇଁ ଡାକ୍ତର ମେହେର୍ଦ୍ଦା ଜିଲ୍ଲାପାଳମାନଙ୍କୁ କହିଛନ୍ତି । ଉପରୋକ୍ତ ୫ଟି ଜିଲ୍ଲାରେ ଧାର୍ଯ୍ୟ ସମୟ ମଧ୍ୟରେ ଯେଭଳି ଶତ ପ୍ରତିଶତ ଟୀକାକରଣ ହୁଏ ତାହା ଉପରେ ସଚିବ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟ ସରକାରଙ୍କ ଟୀକାକରଣର ସଫଳତାକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ପ୍ରଶଂସା କରାଯିବା ସହିତ ୯୦ ପ୍ରତିଶତରୁ ଅଧିକ ସଫଳତା ପାଇଁ ଖୋରଧା ଓ ଗଞ୍ଜାମ ଜିଲ୍ଲାକୁ ଆସନ୍ତା ୩୧ ତାରିଖରେ ଜାତୀୟ ସ୍ତରରେ ପୁରସ୍କୃତ କରିବେ । ପଲ୍ସ ପୋଲିଓ କାର୍ଯ୍ୟକ୍ରମର ରୌପ୍ୟଜୟନ୍ତୀ ପାଳନ ଅବସରରେ ନୂଆଦିଲ୍ଲୀ ଠାରେ ଏହି ପୁରସ୍କାର ପ୍ରଦାନ କରାଯିବ । ମିଶନ ଇନ୍ଦ୍ରଧୁନଷ-୨ରେ ଉପରୋକ୍ତ ୫ଟି ଜିଲ୍ଲାରେ ଆସନ୍ତା ଡିସେମ୍ବର ୨ ତାରିଖରୁ ପ୍ରଥମ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବାକୁ ଥିବାବେଳେ ୨୦୨୦ ଜାନୁୟାରୀ ୬ରେ ଦ୍ୱିତୀୟ, ଫେବୃୟାରୀ ୩ରେ ତୃତୀୟ ଓ ମାର୍ଚ୍ଚ ୨ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଟୀକାକରଣ କରାଯିବ । ବିଗତ ଦିନର ଅଭିଜ୍ଞତା ଆଧାରରେ ମିଶନ ଇନ୍ଦ୍ରଧନୁଷ-୨ର ସଫଳତା ଲାଗି ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଜିଲ୍ଲା ସ୍ତରରେ ତାଲିମ ଦିଆଯିବ । ଟୀକାଦାନ ପାଇଁ ହିତାଧିକାରୀଙ୍କୁ ଚିହ୍ନଟ କରାଯିବା ସହିତ ସେମାନେ ଯେଭଳି ସମସ୍ତେ ଟୀକା ନେବେ ସେଥିପାଇଁ ସ୍ୱାସ୍ଥ୍ୟକର୍ମୀମାନେ ତୃଣମୂଳ ସ୍ତରରେ ଉଦ୍ୟମ କରିବେ । ଦୁଇବର୍ଷରୁ କମ୍‍ ବୟସର ଶିଶୁ ଓ ଗର୍ଭବତୀ ମହିଳାମାନେ ଯେଭଳି ନିଶ୍ଚିତ ଭାବେ ଟୀକା ନେବେ ତାହା ଉପରେ ଶ୍ରୀମତୀ ପଣ୍ଡିତ ସର୍ବାଧିକ ଗୁରୁତ୍ୱ ଆରୋପ କରିଛନ୍ତି । ଜିଲ୍ଲାରେ ଥିବା ସମସ୍ତ ସମ୍ବେଦନଶୀଳ ଅଞ୍ଚଳ ଗୁଡିକୁ ମିଶନ ଇନ୍ଦ୍ରଧନୁଷ-୨ ରେ ସାମିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଧାର୍ଯ୍ୟ ସମୟ ମଧ୍ୟରେ ଯେଭଳି ସମସ୍ତଙ୍କୁ ଟୀକାକରଣ କରାଯାଇ ପାରିବ ସେଥିପାଇଁ ସ୍ୱାସ୍ଥ୍ୟ ମିଶନର ତରଫରୁ ଅଫିସରମାନଙ୍କ ଲାଗି ଏକ ରୋଡମ୍ୟାପ୍‍ ପ୍ରସ୍ତୁତ କରାଯାଇଛି । ଟୀକାଦାନ ପାଇଁ ଯୋଗ୍ୟ ବିବେଚିତଙ୍କୁ ଚିହ୍ନଟ ସହିତ ସେମାନଙ୍କର ସମସ୍ତ ସୂଚନା ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ମିଶନ ଇନ୍ଦ୍ରଧନୁଷ ପୋର୍ଟାଲରେ ଅପଲୋଡ୍‍ କରିବାପାଇଁ ଶ୍ରୀମତୀ ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି ।