ଭୂକମ୍ପ ଆଉ ପରେ ସୁନାମି, ସୁନାମି, ଉଠିଲା ୬ଫୁଟ୍ ଉଚ୍ଚର ଢେଉ ନେଲା  ୪ଶହରୁ ଅଧିକ ଜୀବନ

ଇଣ୍ଡୋନେସିଆ :ପ୍ରଥମେ ଭୂକମ୍ପ ଆଉ ପରେ ସୁନାମି ଆତଙ୍କ । ଇଣ୍ଡୋନେସିଆରେ ଦେଖିବାକୁ ମିଳିଛି ପ୍ରକୃତିର ଭୟଙ୍କର ତାଣ୍ଡବ । ବିନାଶ ଆଣିଛି ସୁନାମି, ନେଇଛି ଶହ ଶହ ଜୀବନ। ଘର ଭାଙ୍ଗିଛି, ଧୋଇ ଯାଇଛି ସହର । ବାସହରା ହୋଇଛନ୍ତି ହଜାର ହଜାର ଲୋକ । ପ୍ରକୃତିର ପ୍ରଚଣ୍ଡ ପ୍ରହାରରେ ଥରହର ହୋଇଛି ଇଣ୍ଡୋନେସିଆ।

ଇଣ୍ଡୋନେସିଆରେ ପ୍ରକୃତିର ପ୍ରଚଣ୍ଡ ପ୍ରହାର

ଭୂକମ୍ପରେ ଦୋହଲିଲା ଇଣ୍ଡୋନେସିଆ

ବିପଦ ବଢାଇଲା ସୁନାମି, ଉଠିଲା ୬ଫୁଟ୍ ଉଚ୍ଚର ଢେଉ

ପ୍ରକୃତିର କୋପ ନେଇଛି ଜୀବନ

ପ୍ରଥମେ ଭୂକମ୍ପ, ଆଉ ପରେ ପରେ ସୁନାମୀ । ଇଣ୍ଡୋନେସିଆରେ ପ୍ରକୃତିର କରାଳ ରୂପ। ଏ ଦୃଶ୍ୟ ବୟାନ କରୁଛି, ପ୍ରକୃତିର କୋପ କେତେ ଭୟଙ୍କର ହୋଇପାରେ। ଶୁକ୍ରବାର ଶକ୍ତିଶାଳୀ ଭୂକମ୍ପ ପରେ ସୁଲାବେସୀ ଦ୍ବୀପର ପାଲୁ ସହରରେ ଦେଖାଦେଇଛି ସୁନାମି ଆତଙ୍କ। ଭୂକମ୍ପରେ ଦୋହଲିଛି ଇଣ୍ଡୋନେସିଆ। ଭାଙ୍ଗିଛି ବହୁତଳ ପ୍ରାସାଦ, ବାସହୀନ ହୋଇଛନ୍ତି ହଜାର ହଜାର ଲୋକ। ଏଯାଏଁ ପ୍ରକୃତିର କୋପ ନେଲାଣି ୪ଶହରୁ ଅଧିକ ଜୀବନ। ଆଶଙ୍କା ରହିଛି, ଆହୁରି ବଢିବ ମୃତ୍ୟୁ ସଂଖ୍ୟା ।

ଇଏ ହେଉଛି ପାଲୁ ସହରର ଏକ ବହୁତଳ କୋଠା ଉପରୁ ସୁନାମିର ଭୟଙ୍କର ଦୃଶ୍ୟ । ଭୂକମ୍ପ କେନ୍ଦ୍ରରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ଏହି ସ୍ଥାନରୁ ସୁନାମିର ବିନାଶକାରୀ ରୂପ  । ପ୍ରାୟ ୬ ଫୁଟ୍ ଉଚ୍ଚ ଢେଉ ଉଠୁଛି। ଲାଗୁଛି ଯେମିତି ପ୍ରକୃତି ଆଣିଛି ବିନାଶ। ସୁନାମିର ଏଭଳି ଭୟଙ୍କର ରୂପ ସେଠାକାର ଲୋକଙ୍କ ଭିତରେ ଖେଳାଇ ଦେଇଛି ଆତଙ୍କ।

ଶୁକ୍ରବାର ଶକ୍ତିଶାଳୀ ଭୂକମ୍ପରେ ଦୋହଲି ଥିଲା ଇଣ୍ଡୋନେସିଆ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ଥିଲା ୭.୫। ଆମେରିକୀୟ ଭୂଗର୍ଭ ସର୍ବେକ୍ଷଣ ବିଭାଗର ତଥ୍ୟ ଅନୁସାରେ, ମଧ୍ୟ ସୁଲାବେସୀର ଡୋଙ୍ଗଲାରେ ୧୦କିଲୋମିଟର ଗଭୀରରେ ରହିଥିଲା  ଭୂକମ୍ପର କେନ୍ଦ୍ରସ୍ଥଳ । ଏହାର ପ୍ରଭାବରେ ସମୁଦ୍ରରେ ୨ମିଟର ଉଚ୍ଚ ଢେଉ ଆସିଥିଲା। ଅନେକ ବହୁତଳ କୋଠା ଓ ଘର ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇଛି।

ଘର, ଧର୍ମସ୍ଥଳ, ବହୁତଳ କୋଠା, ପ୍ରଳୟ ମୁହଁରୁ କିଛି ବି ବାଦ୍ ପଡିନି। ପ୍ରକୃତିର କୋପ ଆଗରେ ଭାଙ୍ଗି ରୁଜି ନଷ୍ଟ ହୋଇଯାଇଛି ସବୁ କିଛି। ଜୀବନ ଯାଇଛି, ବାସହରା ହୋଇଛନ୍ତି ଅନେକ ।