ଇଣ୍ଡୋନେସିଆରେ ପୁଣି ଭୂକମ୍ପ , ସୁନାମି ମୃତ୍ୟୁ ସଂଖ୍ୟା ୧୨ ଶହ ଟପିଲା

ଜାକର୍ତ୍ତା : ଆଜି ମଧ୍ୟ ଇଣ୍ଡୋନେସିଆର ସୁଲାୱେସି ଦ୍ୱୀପରେ ଘନ ଘନ ଭୂକମ୍ପ ଅନୁଭୂତ ହୋଇଛି । ତେବେ ଗତ ୪ ଦିନ ତଳେ ଏହି ଅଞ୍ଚଳରେ ଘଟିଥିବା ଭୂକମ୍ପ ଭଳି ସେତେ ଶକ୍ତିଶାଳୀ ନଥିଲେ ମଧ୍ୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି । ଇତିମଧ୍ୟରେ ସୁଲାୱେସିର ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ପାଲୁ ସହରରେ ମୃତ୍ୟୁସଂଖ୍ୟା ୧୨୩୪ରେ ପହଞ୍ôଚଛି ବୋଲି ସରକାରୀ ଭାବେ କୁହାଯାଇଛି । ତେବେ ଉଦ୍ଧାରକାରୀ ଦଳ ମୃତଦେହ ଠାବ କରିବାରେ ଲାଗିଥିବାରୁ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ମଙ୍ଗଳବାର ସକାଳ ୭ଟା (ସ୍ଥାନୀୟ ସମୟ)ରେ ସୁମ୍ବା ଦ୍ୱୀପରେ ପ୍ରଥମେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା । ଏହା ପରେ ପରେ ସକାଳ ୮ଟାରେ ୬ ତୀବ୍ରତାର ଭୂକମ୍ପ ହୋଇଥିଲା । ୧୫ ମିନିଟ୍ ପରେ ୫.୯ ତୀବ୍ରତାର ଭୂକମ୍ପ ହୋଇଥିଲା । ଅପରାହ୍ନରେ ୨ ଥର ମୃଦୁ ଭୂକମ୍ପ ହୋଇଥିବା ରିପୋର୍ଟ ମିଳିଛି । ଏହି ଦ୍ୱୀପର ଜନସଂଖ୍ୟା ୭ ଲକ୍ଷ ୫୦ ହଜାର । ଭୂକମ୍ପର ପ୍ରଥମ ଝଟ୍କା ଅନୁଭୂତ ହେବା ମାତ୍ରେ ଲୋକେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ । ଏହି ଘନ ଘନ ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ସମ୍ପର୍କରେ କୌଣସି ଖବର ମିଳିନାହିଁ । ଉଲ୍ଲେଖଯୋଗ୍ୟ ଯେ, ଗତ ଶୁକ୍ରବାର ୭.୫ ତୀବ୍ରତାର ଭୂକମ୍ପ ପରେ ପରେ ସୁନାମି ଆସି ପାଲୁ ସହର ଛାରଖାର ହୋଇଯାଇଛି ।

୨୦୦୪ ପରେ ଇଣ୍ଡୋନେସିଆରେ ଏହା ସବୁଠାରୁ ବଡ଼ ଧରଣର ଭୂକମ୍ପ ବୋଲି କୁହାଯାଉଛି । ଆଜି ସୁଲାୱେସିରେ ଏକ ଚର୍ଚ୍ଚରୁ ୩୪ ଜଣ ଛାତ୍ରଙ୍କ ମୃତଦେହ ମିଳିଛି । ଏହା କାଦୁଅରେ ପୋତି ହୋଇ ପଡ଼ିଥିଲା । ଯୋନୁଙ୍ଗ ଚର୍ଚ୍ଚ ଟ୍ରେନିଂ ସେଣ୍ଟରର ୮୬ ଜଣ ଛାତ୍ର ନିଖୋଜ ହୋଇଥିବା ପୂର୍ବରୁ କୁହାଯାଇ ଥିଲା । ଏବେ ୫୨ ଜଣ ଛାତ୍ରଙ୍କ ସମ୍ପର୍କରେ କୌଣସି ସୁରାକ ମିଳି ନାହିଁ । ଇଣ୍ଡୋନେସିଆ ରେଡ୍କ୍ରସ୍ର ମୁଖପାତ୍ର ଆଦିଆ ଆରିଆନି ଗଣମାଧ୍ୟମକୁ କହିଛନ୍ତି, ପ୍ରବଳ କାଦୁଅ ଭିତରୁ ମୃତଦେହ ଉଦ୍ଧାର କରିବା କଷ୍ଟସାଧ୍ୟ ହୋଇପଡ଼ିଛି । ଏହାଛଡ଼ା ଶବ କାନେ୍ଧଇ ୧.୫ କି.ମି. ପର୍ଯ୍ୟନ୍ତ କାଦୁଅରେ ଚାଲି ଚାଲି ଆମ୍ବୁଲାନ୍ସ ନିକଟରେ ପହଞ୍ôଚବା କଷ୍ଟକର ବୋଲି ସେ କହିଛନ୍ତି । ଭୂକମ୍ପ ଓ ସୁନାମି ପରେ ପରେ ମାଟିତଳୁ ମୃତଦେହଗୁଡ଼ିକୁ ଭାରୀ ଯନ୍ତ୍ରପାତି ପ୍ରୟୋଗ କରି କାଢ଼ିବା ପ୍ରଶାସନ ପାଇଁ ଯେତିକି କଷ୍ଟସାଧ୍ୟ ହୋଇଛି, ହଜାର ହଜାର ଲୋକଙ୍କ ପାଇଁ ଏବେ ଖାଦ୍ୟ ଓ ପାନୀୟ ଜଳ ଯୋଗାଣ ଆହୁରି ମୁଣ୍ଡବ୍ୟଥାର କାରଣ ହୋଇଛି । କେବଳ ପାଲୁ ସହରରୁ ପ୍ରାୟ ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।