ଇଣ୍ଡୋନେସିଆ ସୁନାମିରେ ମୃତ୍ୟୁ ସଂଖ୍ୟା ୮୩୨ ଟପିଲା, ଭୂକମ୍ପରେ ଭାଙ୍ଗିଲା ଘର

ଇଣ୍ଡୋନେସିଆ : ଇଣ୍ଡୋନେସିଆରେ ପ୍ରକୃତିର ତାଣ୍ଡବ ।  ସୁନାମିରେ ମୃତ୍ୟୁ ସଂଖ୍ୟା ୮୩୨ଛୁଇଁଚି । ସେପଟେ ରିକ୍ଟର ସ୍କେଲରେ ୭.୫ତୀବ୍ର ଶକ୍ତିଶାଳୀ ଭୂକମ୍ପରେ ଅନେକ ଘରଦ୍ବାର ଭାଙ୍ଗି ଯାଇଛି ।  ଏବେବି ଅନେକ ଲୋକ ଭଗ୍ନାବଶେଷ ଭିତରେ ଫଶିଥିବା ଆଶଙ୍କା କରାଯାଉଛି । ମୃତ୍ୟୁ ସଂଖ୍ୟା ଲଗାତର ବଢିବାରେ ଲାଗିଛି । ପାଲୁ ଏବଂ ଡୋଙ୍ଗଲା ସହର ଅନେକ ଅଞ୍ଚଳ ଧ୍ବସ୍ତ । ଶକ୍ତିଶାଳୀ ଭୂକମ୍ପ ପରେ ୨୦ଫୁଟ ଉଚ୍ଚ ବିଶାଳ ସମୁଦ୍ର ଢେଉ ପୂରା ଇଲାକାରେ ତାଣ୍ଡବ ରଚିଛି ।  ପ୍ରଭାବିତ ଇଲାକାରେ ୩ଲକ୍ଷରୁ ଅଧିକ ଲୋକ ସୁନାମିରେ ପ୍ରଭାବିତ ହୋଇଛନ୍ତି । ସୁନାମି ଆସିବା ସମୟରେ ବେଳାଭୂମି ଉତ୍ସବର ପ୍ରସ୍ତୁତି ଚାଲିଥିଲା । ଶହ ଶହ ଲୋକ ବେଳାଭୂମିରେ ଥିଲେ । ଏଭିତରେ ଅଧିକାଂଶ ଲୋକ ପର୍ଯ୍ୟଟକ ଥିଲେ । ତେଣୁ ସୁନାମି ଦ୍ବାରା ପ୍ରାଣ ହରାଇଥିବା ଲୋକଙ୍କର ପରିଚୟ ମିଳିପାରି ନାହିଁ। ସୁନାମି ଢେଉ ମାଡରେ ଶହ ଶହ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆହତଙ୍କ ସଂଖ୍ୟା ଡାକ୍ତରଖାନାରେ ବଢିବାରେ ଲାଗିଛି । ଏପରିକି ଅନେକ ଆହତଙ୍କୁ ବାହାରେ ଚିକିତ୍ସା କରାଯାଉଛି । କିଛି ହୋଟେଲ ଏବଂ ମଲ୍ ରେ ଅନେକ ଲୋକ ଫଶିଥିବା ଆଶଙ୍କା କରାଯାଉଛି । ସେମାନଙ୍କ ପାଖରେ ଉଦ୍ଧାରକାରୀ ଦଳ ପହଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି । ଉଦ୍ଧାର କାମରେ ସେନାକୁ ନିୟୋଜିତ କରାଯାଇଛି । ଭୂମିକମ୍ପ ଯୋଗୁ ବ୍ୟାପକ ଅଞ୍ଚଳରେ କ୍ଷତି ହୋଇଥିବାରୁ ଉଦ୍ଧାର କାର୍ଯ୍ୟ କଷ୍ଟକର ହୋଇ ପଡିଛି । ଏପଟେ ସୁନାମିର କରାଳ ରୂପ ନେଇ ଗୋଟିକ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସୁଛି । ଏଥିରୁ ଦେଖିବାକୁ ମିଳୁଛି । କ୍ଷୟକ୍ଷତିର ପରିମାଣ କେତେ ବ୍ୟାପକ । ଭଗ୍ନାବଶେଷ ଭିତରେ ବଞ୍ଚି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ସବୁଠୁ ପ୍ରାଥମିକତା ।