ପାକ୍ ଅଧିକାରୀଙ୍କୁ ହାତ ମିଳାଇବା ବଦଳରେ ନମସ୍କାର କଲେ ଭାରତୀୟ ଅଫିସର

ଦି ହେଗ୍: ପାକ୍ ଅଧିକାରୀଙ୍କୁ ହାତ ମିଳାଇବା ବଦଳରେ ନମସ୍କାର କଲେ ଭାରତୀୟ ଅଫିସର । ଆଜିଠାରୁ ଅନ୍ତର୍ଜାତୀୟ ନ୍ୟାୟାଳୟ(ଆଇସିଜେ)ରେ ଆରମ୍ଭ ହୋଇଥିବା କୁଳଭୂଷଣ ମାମଲା ଶୁଣାଣି ସମୟରେ ଏଭଳି ଘଟଣା ଘଟିଛି । ଏ ନେଇ ଏବେ ଚାରିଆଡେ ଚର୍ଚ୍ଚା ଚାଲିଛି । ଆଇସିଜେ ପରିସରରେ ପାକିସ୍ତାନ ଅଧିକାରୀଙ୍କୁ ସମସ୍ତଙ୍କ ଆଗରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଦୀପକ ମିତ୍ତଲ ସିଧାସିଧା ଅପମାନିତ କରିଛନ୍ତି। ଏହି ସମୟରେ ପାକିସ୍ତାନର ମିଛର ପର୍ଦ୍ଦାଫାସ କରିବା ପାଇଁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀ ଏବଂ ବରିଷ୍ଠ ଓକିଲ ହରିଶ ସାଲଭେ ଉପସ୍ଥିତ ରହିଛନ୍ତି। ପାକିସ୍ତାନ ମଧ୍ୟ ତା’ର ବୈଦେଶିକ ମନ୍ତ୍ରଣାଳୟର ଅଧିକାରୀଙ୍କୁ ଆଇସିଜେ ପଠାଇଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଦୀପକ ମିତ୍ତଲଙ୍କୁ ଦେଖିବା କ୍ଷଣି ପାକିସ୍ତାନ ଆଟର୍ଣ୍ଣି ଜେନେରାଲ ଅନୱର ମନସୁର ଖାନ ତାଙ୍କ ସହ ହାତ ମିଳାଇବାକୁ ଆଗେଇ ଆସିଥିଲେ। ତେବେ ପୁଲୱାମା ଘଟଣା ଦୃଷ୍ଟିରୁ ମିତ୍ତଲ ମନସୁରଙ୍କ ସହ ହାତ ମିଳାଇବାକୁ ଚାହିଁ ନଥିଲେ। ସେ କେବଳ ହାତ ଯୋଡ଼ି ଅଭିବାଦନ ଗ୍ରହଣ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଆଶ୍ଚର‌୍ୟ୍ୟ ହୋଇଯାଇଥିଲେ। ମନସୁର ଖାନ୍‌ ମଧ୍ୟ ସେଠାରେ ଅପ୍ରସ୍ତୁତ ହୋଇପଡ଼ିଥିଲେ ଓ ଏକଥା ତାଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇ ପଡ଼ିଥିଲା। ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଯୋଗାଉଥିବାରୁ ଏବେ ସାରା ଭାରତରେ ଇସ୍‌ଲାମାବାଦ ଉପରେ ପ୍ରତିଶୋଧ ନେବାକୁ ଦାବି ହେଉଛି। ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ମଧ୍ୟ ପାକିସ୍ତାନ ସହ କୌଣସି ଆଲୋଚନା କରାଯିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଏସବୁ ଦୃଷ୍ଟିରେ ରଖି ଶ୍ରୀ ମିତ୍ତଲ ମନସୁରଙ୍କ ସହ ହାତ ମିଳାଇ ନଥିବା କୁହାଯାଉଛି।