ଅଲିମ୍ପିକ ଖେଳିବ ଭାରତୀୟ ମହିଳା ହକି ଟିମ୍‌, ମୁଖ୍ୟମନ୍ତ୍ରୀ ନବୀନ ଜଣାଇଲେ ଶୁଭେଚ୍ଛା

ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ୍‌ ଟୋକିଓ ଅଲିମ୍ପିକ-୨୦୨୦ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଛି। ଶନିବାର ମ୍ୟାଚ୍‌ରେ ଆମେରିକା ଠାରୁ ପରାସ୍ତ ହୋଇଥିଲେ ମଧ୍ୟ ୨ ଦିନର ଖେଳ ପ୍ରଦର୍ଶନ ଆଧାରରେ ଭାରତୀୟ ଟିମ୍‌ ଟୋକିଓ ପାଇଁ ଟିକେଟ ହାସଲ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଉଭୟ ଭାରତ ଓ ଆମେରିକା ମଧ୍ୟରେ ୨ଟି ମ୍ୟାଚ ଖେଳାଯାଇଛି। ଭାରତୀୟ ମହିଳା ହକି ଟିମ୍‌ର ସଫଳତାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।

ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତୀୟ ମହିଳା ହକି ଟିମ୍‌ ଶୁକ୍ରବାର ଆମେରିକାକୁ ୫-୧ ଗୋଲରେ ପରାସ୍ତ କରିଥିଲା। ଟିମ୍‌ର ଖେଳାଳିମାନେ ଆମେରିକା ବିପକ୍ଷରେ ଲଢ଼ଆ ମନୋଭାବ ନେଇ ଖେଳିଥିଲେ। ଭାରତୀୟ ଦଳର ଖେଳାଳି ତଥା ଓଡ଼ିଆ ଝିଅ ଲିଲିମା ମିଞ୍ଜ ମ୍ୟାଚ୍‌ରେ ପ୍ରଥମ ଗୋଲ (୨୮ମିନିଟ) ଦେଇଥିଲେ। ସାଥୀ ଖେଳାଳି ଗୁରୁଜିତ କୌର ୨ଟି ଗୋଲ (୪୨ ଓ ୫୧ମିନିଟ) ଦେଇଥିବା ବେଳେ ନବନୀତ କୌର (୪୬ମିନିଟ) ଓ ଶର୍ମିଲା ଦେବୀ (୪୦ ମିନିଟ) ୧-୧ ଗୋଲ ଦେଇଥିଲେ।

ଆଜିର ମ୍ୟାଚ୍‌ରେ ଭାରତୀୟ ଟିମ୍‌ ଆମେରିକା ଠାରୁ ୧-୪ ଗୋଲରେ ପରାସ୍ତ ହୋଇଛି। ଭାରତ ତରଫରୁ ରାନୀ ରାମପଲ (୪୮ ମିନିଟ) ଗୋଲ ଦେଇଥିଲେ। ମାତ୍ର ଉଭୟ ମ୍ୟାଚ୍‌ରେ ଭାରତ ୬ଟି ଗୋଲ ଦେଇଥିବା ବେଳେ ଆମେରିକା ୫ଟି ଗୋଲ ଦେଇଛି। ତେଣୁ ଅଧିକ ଗୋଲ ଆଧାରରେ ଭାରତ ଟୋକିଓ ପାଇଁ ଟିକେଟ ପାଇପାରିଛି।