ଆସନ୍ତା ବର୍ଷ ୬୭ ଦିନ ବ୍ୟାଙ୍କ ରହିବ ବନ୍ଦ

ନୂଆଦିଲ୍ଲୀ: ଆସନ୍ତା ନୂଆବର୍ଷରେ ଦେଶରେ ବ୍ୟାଙ୍କ ଗୁଡିକର ଛୁଟି ତାଲିକା ପ୍ରକାଶ ପାଇଛି। ଛୁଟି ତାଲିକା ଅନୁଯାୟୀ, ଆସନ୍ତା ବର୍ଷରେ ବ୍ୟାଙ୍କ ୬୭ ଦିନ ବନ୍ଦ ରହିବ। ପର୍ବପର୍ବାଣୀ, ମାସର ଦ୍ଵିତୀୟ ଶନିବାର, ଚତୁର୍ଥ ଶନିବାର ଓ ରବିବାର ମିଶାଇ ବ୍ୟାଙ୍କ କର୍ମଚାରୀମାନେ ଦୁଇମାସ ଏକ ସପ୍ତାହ ଛୁଟି ପାଇବେ। 

 

ଛୁଟି ତାଲିକା ଦେଖିବାକୁ ଗଲେ, ବ୍ୟାଙ୍କ କର୍ମଚାରୀମାନେ ଅଗଷ୍ଟ ମାସରେ ଅଧିକ ଛୁଟି ପାଇବେ। ଅଗଷ୍ଟ ମାସରେ ସର୍ବମୋଟ ୧୦ ଦିନ ଛୁଟି ରହିଛି। ସେହିଭଳି ଫେବୃଆରୀ, ଅପ୍ରେଲ, ଓ ଅକ୍ଟୋବର ମାସରେ ୭-୭ଦିନ ଲେଖାଏଁ ଛୁଟି ମିଳିବ। ମାର୍ଚ୍ଚ, ମଇ, ନଭେମ୍ଵର ଓ ଡିସେମ୍ଵର ମାସରେ ୫ଦିନ ଲେଖାଏଁ ଛୁଟି ମିଳିବ। ଏତଦ୍ ବ୍ୟତୀତ ଜୁନ୍, ଜୁଲାଇ, ଓ ସେପ୍ଟେମ୍ଵର ମାସରେ ୪ ଦିନ ଲେଖାଏଁ ଛୁଟି ମିଳିବ। ଜାନୁଆରି ୨୬ରୁ ଡିସେମ୍ବର ୨୫ ମଧ୍ୟରେ ବ୍ୟାଙ୍କ କର୍ମଚାରୀମାନେ ଜାତୀୟ ସ୍ତରରେ ପ୍ରାୟ ୧୭ଟି ଛୁଟି ପାଉଛନ୍ତି।

ଏତଦ୍ ବ୍ୟତୀତ କେତେକ ଛୁଟି ବା ପର୍ବପର୍ବାଣୀ ଦ୍ଵିତୀୟ ଶନିବାର, ଚତୁର୍ଥ ଶନିବାର ଓ ରବିବାର ପଡୁଥିବାରୁ ବ୍ୟାଙ୍କ କର୍ମଚାରୀଙ୍କ ଛୁଟି ପ୍ରଭାବିତ ହେବ। ସାଧାରଣତନ୍ତ୍ର ଦିବସଠାରୁ ଆରମ୍ଭ କରି ବଡ଼ଦିନ ମଧ୍ୟରେ ବ୍ୟାଙ୍କର ଆସନ୍ତାବର୍ଷ ବିଭିନ୍ନ ପର୍ବପର୍ବାଣୀରେ ମୋଟ ୧୭ଟି ଛୁଟି ରହିଛି। ତେବେ ରାଜ୍ୟ ଭିତ୍ତିରେ ଏହି ଛୁଟି ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରହିପାରେ। ନେଗୋସିଏବଲ ଇନଷ୍ଟ୍ରୁମେଣ୍ଟସ ଆକ୍ଟ ଅନୁସାରେ ରାଜ୍ୟ ସରକାର ବ୍ୟାଙ୍କ ଗୁଡ଼ିକର ଛୁଟି ଘୋଷଣା କରୁଥିବାରୁ ଏଥିରେ ଭିନ୍ନତା ରହିଥାଏ ବୋଲି ଜଣା ପଡିଛି।