ଆତଙ୍କବାଦୀଙ୍କ ବିରୋଧରେ ୨୦୩ ଆସଲ୍ଟ ରାଇଫଲ ବ୍ୟବହାର କରିବ ସେନା

ନୂଆଦିଲ୍ଲୀ : ଖୁବଶୀଘ୍ର ଆତଙ୍କବାଦୀ ବିରୋଧୀ ଅଭିଯାନରେ ସାମିଲ ଯବାନଙ୍କୁ ଏକେ-୨୦୩ ଆସଲ୍ଟ ରାଇଫଲ ପ୍ରଦାନ କରାଯିବ। ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ଏହି ରାଇଫଲ ବ୍ୟବହାର କରାଯିବ। ଏହି ଆସଲ୍ଟ ରାଇଫଲ ଆକାର ଓ ଜ୍ଞାନକୈଶଳରେ ପରିବର୍ତ୍ତନ କରାଯାଇଛି। ଏହି ରାଇଫଲକୁ ଆବଶ୍ୟକ ସମୟରେ ଭାଙ୍ଗି, ଛୋଟ କରି କାର୍ବାଇନ ଭଳି ବ୍ୟବହାର କରିହେବ। ଏପରିକି ଏହାକୁ ପୋଷାକ ଭିତରେ ଲୁଚାଇ ରଖିହେବ। ସୋମବାର ସେନାର ବରିଷ୍ଠ ଅଧିକାରୀଙ୍କଠାରୁ ଏହି ସୂଚନା ମିଳିଛି।
ସୂଚନା ଅନୁସାରେ ଭାରତ ଏବଂ ରୁଷର ମିଳିତ ଉଦ୍ୟମରେ ଉତ୍ତରପ୍ରଦେଶର ଅମେଠିରେ ଏହି ଏକେ-୨୦୩ ଆସଲ୍ଟ ରାଇଫଲ ତିଆରି କରାଯିବ। ପାଷ୍ଟ ଟ୍ରାକ୍‍ ପ୍ରକ୍ରିୟାରେ ୯୩,୦୦୦ କାର୍ବାଇନ କିଣିବା ପାଇଁ ପୃଥକ ଟେଣ୍ଡର ଡକାଯିବ। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ଓଭରସାଇଟ କମିଟି ଗଠନ କରିଛି। ସେନାର ଜଣେ ବରିଷ୍ଠ ଲେଫ୍ଟନାଣ୍ଟ ଜେନରାଲ ପାହ୍ୟାର ଅଧିକାରୀଙ୍କୁ କମିଟିର ସଦସ୍ୟ କରାଯାଇଛି। ଏହାବାଦ୍‍ ଏହି କମିଟିରେ ଡିଆରଡିଓ ଏବଂ ପ୍ରତିରକ୍ଷା ମନ୍ତ୍ରାଳୟର ଜଣେ ଲେଖାଏଁ ସଦସ୍ୟ ଅଛନ୍ତି। କମିଟି ରିପୋର୍ଟ ପ୍ରଦାନ କରିବା ପରେ ପ୍ରତିରକ୍ଷା ମନ୍ତ୍ରାଳୟ ଏହା ଉପରେ ନିଷ୍ପତ୍ତି ନେବ। ଏହା ପୂର୍ବରୁ କେନ୍ଦ୍ର ସରକାର ଦୁଇ ପ୍ରକାରର ଆଧୁନିକ ଆସଲ୍ଟ ରାଇଫଲ କିଣିବା ପ୍ରକ୍ରିୟାକୁ ଚୂଡ଼ାନ୍ତ ରୂପ ଦେଇ ସାରିଛି। ଏକେ-୪୭ ଭଳି ଏକେ-୨୦୩ ଆସଲ୍ଟ ରାଇଫଲରେ ଗୋଟିଏ ମିନିଟରେ ୬୦୦ ରାଉଣ୍ଡ ଗୁଳି ଚଳାଇ ହେବ। ଏହାର ମାରକ କ୍ଷମତା ୫୦୦ ମିଟର ରହିବ। ଚୀନ ସମେତ ୩୦ଟି ଦେଶରେ ତିଆରି ହେଉଥିବା ଏହି ରାଇଫଲକୁ ବିଶ୍ୱର ସବୁଠାରୁ ବିପଦଜନକ ବନ୍ଧୁକ ରୂପେ ଗଣାଯାଏ।