ଭାରତ-ନ୍ୟୁଜିଲାଣ୍ଡ ଟି-୨୦: ୬ ୱିକେଟରେ ଜିତିଲା ଭାରତ

ଅକଲାଣ୍ଡ: ସ୍ଥାନୀୟ ଇଡେନ ପାର୍କରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୬ ୱିକେଟରେ ବାଜିମାତ୍ କରିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୨୦୩ ରନ କରିଥିଲା । ଏହାକୁ ପିଛା କରି ଭାରତ ୧୯ ଓଭରରେ ୪ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି ।

ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତି ନେଇଥିଲା ଭାରତ । ଫଳରେ ନ୍ୟୁଜିଲାଣ୍ଡ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୨୦୩ ରନ କରିଥିଲା । କଲିନ ମନ୍ରୋ ୪୨ ବଲ ଖେଳି ୫୯ ରନ କରିଥିବାବେଳେ ଗପ୍ଟିଲ ୧୯ ବଲରୁ ୩୦ ରନ କରିଥିଲେ । ସେହିପରି ୱିଲିୟମସନ ୨୬ ବଲରେ ୫୧ ରନ ଓ ଟେଲର ୨୭ ବଲରେ ୫୪ ରନର ପାଳି ଖେଳିଥିଲେ ।

ଅନ୍ୟପଟେ ୨୦୪ ରନ ବିଜୟ ଲକ୍ଷ୍ୟ ପିଛା କରି ଭାରତ ୧୬ ରନରେ ନିଜ ପ୍ରଥମ ୱିକେଟ ହରାଇଥିଲା । ରୋହିତ ଶର୍ମା ମାତ୍ର ୭ ରନ କରି ମିଚେଲ ସାଂଟନରଙ୍କ ବଲରେ କ୍ୟାଚ ହୋଇ ପ୍ୟାଭିଲିୟନ ଫେରିଥିଲେ । ପରେ ଅଧିନାୟକ ବିରାଟ କୋହଲି ଓ କେଏଲ ରାହୁଲ ପାଳି ସମ୍ଭାଳିଥିଲେ । ବ୍ୟକ୍ତିଗତ ସ୍କୋର ୫୬ ଓ ଦଳୀୟ ସ୍କୋର ୧୧୫ରେ କେଏଲ ରାହୁଲ ଆଉଟ ହୋଇଥିଲେ । ପରେ ଦଳୀୟ ସ୍କୋର ୧୨୧ରେ ବିରାଟ କୋହଲି ୪୫ ରନରେ ଆଉଟ ହୋଇଯାଇଥିଲେ ।

ତେବେ ଶ୍ରେୟସ ଆୟର ଓ ଶିଭମ ଦୁବେଙ୍କ ଯୋଡି ରନକୁ ଆଗକୁ ବଢାଇଥିଲା । ହେଲେ ୧୪୨ ରନରେ ଦୁବେ ବ୍ୟକ୍ତିଗତ ୧୩ ରନ କରି ଆଉଟ ହୋଇଯାଇଥିଲେ । ପରେ ମନୀଷ ପାଣ୍ଡେ ଓ ଶ୍ରେୟସ ଆୟର ଦଳକୁ ବିଜୟ କରାଇଥିଲେ । ଶ୍ରେୟସ ଆୟର(୫୮), ଟିମ ସାଉଦିଙ୍କ ବଲକୁ ଛକା ମାରି ମନୀଷ ପାଣ୍ଡେ ଦଳକୁ ବିଜୟର ସ୍ବାଦ ଚଖାଇଥିଲେ । ଦମଦାର ଇନିଂସ ପାଇଁ ଆୟରଙ୍କୁ ମ୍ୟାନ ଅଫ ଦ ମ୍ୟାଚ ମିଳିଛି ।