ସ୍ପିନରଙ୍କ କମାଲ , ମୋଟେରା ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବାଜି ମାରିଲା ଭାରତ

୨ ଦିନରେ ମ୍ୟାଚ୍ ଶେଷ : ମୋଟେରା ଟେଷ୍ଟକୁ ୧୦ ଓ୍ବିକେଟ୍‌ରେ ଜିତିଲା ଭାରତ

ଅହମ୍ମଦାବାଦ  : ମୋଟେରାରେ ଖେଳାଯାଉଥିବା ୩ୟ ଟେଷ୍ଟ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି ଭାରତ । ଏହା ସହିତ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଯାଇଛି ଭାରତ । ତୃତୀୟ ଟେଷ୍ଟର ଦ୍ବିତୀୟ ଇନିଂସରେ ବିଜୟ ପାଇଁ ମାତ୍ର ୪୯ ରନ୍‌ ଆବଶ୍ୟକ କରୁଥିବା ଭାରତ ବିନା କୌଣସି ଓ୍ବକେଟ୍‌ ହରାଇ ଏହି ଲକ୍ଷ୍ୟକୁ ହାସଲ କରିନେଇଛି । ରୋହିତ ଶର୍ମା ୨୫ ବଲ ଖେଳି ୩ଟି ଚୌକା ଏବଂ ଗୋଟିଏ ଚକା ବଳରେ ୨୫ ରନ୍‌ କରିଥିବା ବେଳେ ଶୁଭମାନ୍ ଗିଲ ୨୧ ବଲ ଖେଳି ଗୋଟିଏ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୫ ରନ୍‌ କରି ଅପରାଜିତ ରହିଛନ୍ତି ।

ଶେଷ ବଲରେ ବିଶାଳ ଛକାମାରି ଟିମ୍‌କୁ ବିଜୟ ଭେଟି ଦେଇଛନ୍ତି ରୋହିତ ଶର୍ମା । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ବିତୀୟ ଇନିଂସ୍‌ରେ ଧରାଶୟୀ ହୋଇଛି ଇଂଲଣ୍ଡ । ଦ୍ବିତୀୟ ଇନିଂସରେ ମାତ୍ର ୮୧ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା ଭ୍ରମଣକାରୀ ଇଂଲଣ୍ଡ ଟିମ୍ । ବିଜୟ ପାଇଁ ମାତ୍ର ୪୯ ରନ୍‌ ଆବଶ୍ୟକ କରୁଥିବା ଘରୋଇ ଭାରତ ୧୦ ଓ୍ବିକେଟ୍‌ ବାକିଥାଇ ଏହି ବିଜୟ ହାସଲ କରିନେଇଛି । ରବିଚନ୍ଦ୍ରନ ଅଶ୍ବିନ ଏବଂ ଅକ୍ଷର ପଟେଲଙ୍କ ଯୋଡି ଦୁଇଟି ଯାକ ଇନିଂସରେ ଇଂଲଣ୍ଡର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଅକ୍ଷର ପଟେଲ ପ୍ରଥମ ଇନିଂସରେ ୬ଟି ଓ ଦ୍ବିତୀୟ ଇନିଂସରେ ୫ଟି, ମୋଟ ୧୧ଟି ଓ୍ବିକେଟ୍‌ ନେଇଛନ୍ତି । ସେହିଭଳି ଅଶ୍ବିନ୍‌ ପ୍ରଥମ ଇନିଂସରେ ୩ଟି ଏବଂ ଦ୍ବିତୀୟ ଇନିଂସରେ ୪ଟି ମୋଟ ୭ଟି ଓ୍ବିକେଟ୍‌ ନେବା ସହିତ ଗୋଟିଏ ଶତକ ମଧ୍ୟ ହାସଲ କରିଛନ୍ତି ।

ଭାରତକୁ ତୃତୀୟ ଟେଷ୍ଟ ଜିତିବା ପାଇଁ ଦ୍ବିତୀୟ ଇନିଂସରେ ମାତ୍ର ୪୯ ରନ୍‌ ଆବଶ୍ୟକ ଥିଲା । ଦ୍ବିତୀୟ ଇନିଂସରେ ବ୍ୟାଟିଂ ପାଇଁ ଆସିଥିବା ଇଂଲଣ୍ଡ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ପକ୍ଷରୁ ମାତ୍ର ୩ ଜଣ ବ୍ୟାଟ୍ସମ୍ୟାନ୍‌ ୨ ଅଙ୍କ ସ୍କୋର ଛୁଇଁବାକୁ ସକ୍ଷମ ହୋଇଥିଲେ । ଇଂଲଣ୍ଡ ପକ୍ଷରୁ ବେନ୍‌ ଷ୍ଟୋକ୍ସ ସର୍ବାଧିକ ୨୫ ରନ୍‌ କରିଥିଲେ । ସେହିପରି ଅଧିନାୟକ ଜୋ ରୁଟ୍‌ ୧୯, ଓଲୀ ପୋପ୍‌ ୧୨ ରନ୍‌ କରି ଆଉଟ ହୋଇଥିଲେ । ଇଂଲିସ୍ ଟିମ୍‌ର ୪ ଜଣ ବ୍ୟାଟ୍ସମ୍ୟାନ୍‌ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ଜ୍ୟାକ୍‌ କ୍ରୋଲି, ଜୋନି ବୟାରିଷ୍ଟୋ, ଜୋଫ୍ରା ଆର୍ଚର ଏବଂ ଜେମ୍‌ସ ଆଣ୍ଡରସନ୍‌ ଖାତା ଖୋଲିବାକୁ ସକ୍ଷମ ହୋଇନାହାନ୍ତି । ଡୋମ୍‌ ଶିବଲୀ ୭ ରନ୍‌, ବେନ୍‌ ଫୋକ୍ସ୍‌ ୮ ରନ୍‌, ଜ୍ୟାକ୍‌ ଲିଚ୍‌ ୯ ରନ୍‌ ଏବଂ ଷ୍ଟୁଆର୍ଟ ବ୍ରଡ୍‌ ୧ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି ।

ପ୍ରଥମ ଇଂନିସ୍‌ରେ ଇଂଲଣ୍ଡ ମାତ୍ର ୧୧୨ ରନ୍‌ରେ ଅଲଆଉଟ ହୋଇଥିଲା । ଜବାବରେ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଦ୍ବିତୀୟ ଦିନ ଖେଳ ଜାରିରହିଥିବା ବେଳେ ମାତ୍ର ୧୪୫ ରନ୍‌ରେ ଅଲଆଉଟ ହୋଇଯାଇଥିଲା । ପ୍ରଥମ ଦିନରେ ଇଂଲଣ୍ଡ ୧୧୨ ରନରେ ଅଲଆଉଟ୍ ହେବା ପରେ ଭାରତ ଷ୍ଟମ୍ପ ଅପସାରଣ ସୁଦ୍ଧା ୩ ଓ୍ଵିକେଟ୍ ବିନିମୟରେ ୯୯ ରନ କରିଥିଲା । ଭାରତ ୧୩ ରନ ପଛରେ ଥିବା ବେଳେ ହାତରେ ଆଉ ୭ ଓ୍ଵିକେଟ୍ ବାକି ଥିଲା ।

କିନ୍ତୁ ଦ୍ବିତୀୟ ଦିନ ଆରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ମାତ୍ର ୪୬ ରନ୍‌ ମଧ୍ୟରେ ଶେଷ ୭ଟି ଓ୍ବିକେଟ୍‌ ହରାଇଛି । ଭାରତ ପକ୍ଷରୁ ରୋହିତ ଶର୍ମା ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ଅର୍ଦ୍ଧଶତକ ହାସଲ କରିଥିଲେ । ରୋହିତଙ୍କ ବ୍ୟତିତ ଅନ୍ୟମାନେ ଇଂଲଣ୍ଡ ନିକଟରେ ସମ୍ପୂର୍ଣ୍ଣ ଆତ୍ମ ସମର୍ପଣ କରିଥିଲେ ।

ଦ୍ବିତୀୟ ଦିନ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଭାରତ । ଦଳ ପକ୍ଷରୁ ରାହାଣେ ୭, ଋଷଭ ପନ୍ତ ୧, ରବିଚନ୍ଦ୍ରନ ଅଶ୍ବିନ ୧୭ ଇଶାନ୍ତ ଶର୍ମା ୧୦, ବୁମରାହ ୧ ରନ୍‌ ଏବଂ ଓ୍ବାଶିଂଟନ ସୁନ୍ଦର ଓ ଅକ୍ଷର ପଟେଲ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ ।

ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍‌ ମାତ୍ର ୬.୨ ଓଭର ବୋଲିଂ କରି ୫ଟି ଓ୍ବିକେଟ୍‌ ନେଇ ଭାରତର ବ୍ୟାଟିଂ ଲାଇନ୍‌ ଅପ୍‌କୁ ସମ୍ପୂର୍ଣ୍ଣ ଧ୍ବଂସ କରିଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜ୍ୟାକ୍‌ ଲିଚ୍‌ ୪ଟି ଏବଂ ଜୋଫ୍ରା ଆର୍ଚର ଗୋଟିଏ ଓ୍ବିକେଟ୍‌ ହାସଲ କରିଥିଲେ ।

india wins ahmedabad day night test cricket