ଓଭାଲ୍: ଚଳିତ ବିଶ୍ୱକପ୍ରେ ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚ୍ ଖେଳିବ। ଦୁଇଥର ବିଶ୍ୱବିଜେତା ଭାରତ ୫ଥର ବିଶ୍ୱକପ୍ ଜିତିଥିବା ତଥା ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ଲଣ୍ଡନର ଐତିହାସିକ ଓଭାଲ୍ ପଡ଼ିଆରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତୀୟ ସମୟାନୁସାରେ ଅପରାହ୍ଣ ୩ଟାରୁ ଆରମ୍ଭ ହେବ।
ପ୍ରଥମଥର ପାଇଁ ୫୦-ଓଭର୍ ବିଶ୍ୱକପ୍ରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆକୁ ଭେଟିବ। ଏହି ମ୍ୟାଚ୍ରେ ବିରାଟ ବାହିନୀ ନିଜର ସ୍ୱତନ୍ତ୍ର ଛାପ ଛାଡ଼ିବାକୁ ନିଶ୍ଚୟ ପ୍ରୟାସ କରିବ।
ଭାରତ ତା’ର ପ୍ରଥମ ମ୍ୟାଚ୍ରେ ବିଶ୍ୱର ୩ ନଂ ରାଙ୍କରେ ଥିବା ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍ରେ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ରୋହିତ ଶର୍ମା ଶତକ ହାସଲ କରିଥିବା ବେଳେ ବୋଲିଂରେ କମାଲ କରିଥିଲେ ଚହଲ ଓ ବୁମ୍ରା। ଆଜି ମଧ୍ୟ ଏମାନଙ୍କ ଉପରେ ଟିମ୍ ଇଣ୍ଡିଆ ଅଧିକ ଭରସା ରଖିବ।
ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦୁଇଟି ମ୍ୟାଚ୍ ଖେଳି ସାରିଛି ଓ ଉଭୟରେ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ୍ରେ ଦଳ ଆଫ୍ଗାନିସ୍ତାନକୁ ଏକ ପାଖିଆ ଭାବେ ପରାସ୍ତ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ ସହ ଲଢ଼େଇ କରି ପୂରା ପଏଣ୍ଟ ହାସଲ କରିଥିଲା।