ନୂଆଦିଲ୍ଲୀ: ରାଜଧାନୀର ହାଇଦ୍ରାବାଦ ହାଉସରେ ଜାରି ରହିଛି ଭାରତ- ଆମେରିକାର ମିଳିତ ବୟାନ । ଦ୍ବିପାକ୍ଷିକ ବୈଠକ ସରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋଲାନ୍ଡ ଟ୍ରମ୍ପ ନିଜ ନିଜର ବିବୃତି ରଖୁଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ପ୍ରଥମେ ଭାରତ ପକ୍ଷରୁ ଦୁଇ ଦେଶର ପ୍ରତିନିଧି ମଣ୍ଡଳୀ ସମ୍ମୁଖରେ ବକ୍ତବ୍ୟ ରଖିଛନ୍ତି ।
ଭାରତ ଆମେରିକାର ଗ୍ଲୋବାଲ ଷ୍ଟାଟିଜେକି ପାର୍ଟନର ବୋଲି ଭାଷଣ ଆରମ୍ଭରେ କହିଛନ୍ତି ମୋଦି । ଦୁଇ ଦେଶ ମଧ୍ୟରେ ଆଜି ଅନେକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ସାମରିକ, ବାଣିଜ୍ୟିକ, ନିଶାକାରାବାର, ଆତଙ୍କବାଦୀ ବିରୋଧରେ ଲଢେଇ ଏବଂ ସର୍ବୋପରି ସଂଘଠିତ ଅପରାଧ ବିପକ୍ଷରେ ମିଳିତ ଲଢେଇ ଜାରି ରହିବା ନେଇ ଆଲୋଚନା ହୋଇଥିବା କହିଛନ୍ତି ମୋଦି ।
ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ଯୋଗୁଁ ଆଜି ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ ହୋଇଛି । ବାଣିଜ୍ୟ କାରବାର ବୃଦ୍ଧି ନେଇ ଏକ ନୂଆ ସଂଚାର ଆଣିଛି । ଦୁଇ ଦେଶ ମଧ୍ୟରେ ମୁକ୍ତ ବାଣିଜ୍ୟିକ କାରବାର ହେବା ନେଇ ଆଲୋଚନା ହୋଇଥିବା ସେ କହିଛନ୍ତି ।
ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ନିଜର ବିବୃତିରେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି । ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଆତିଥ୍ୟତା ସର୍ବପ୍ରଥମେ ମୋତେ ବହୁତ ଆକୃଷ୍ଟ କରିଛି । ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଓ ସାମରିକ କାରବାର ନେଇ ଆମେରିକା ସହମତି ପ୍ରକାଶ କରିଥିବା ସେ କହିଛନ୍ତି । ୩୦୦ କୋଟି ଡଲାରର ସାମରିକ ଚୁକ୍ତିରେ ଟ୍ରମ୍ପ ସହମତି ପ୍ରକାଶ କରିଛନ୍ତି ।
ସେପଟେ ଆତଙ୍କବାଦ ଲଢେଇ, ସାଇବର ସୁରକ୍ଷା, ବାଣିଜ୍ୟିକ କାରବାର ଆଦି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆମେରିକା ଭାରତର ସାଥିରେ ରହିବ । ଆମେରିକା ଭାରତକୁ LNG ରପ୍ତାନୀ କରିବ ବୋଲି ରାଷ୍ଟ୍ରପତି ଟ୍ରମ୍ପ ନିଜ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି ।
ଏହାସହ ଭାରତ ଗସ୍ତ ତାଙ୍କ ପାଇଁ ଅତି ଚମତ୍କାର ବୋଲି କହିଛନ୍ତି ଟ୍ରମ୍ପ । ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି । ନିଜ ବକ୍ତବ୍ୟ ରଖିବାବେଳେ ସେ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ସମାଧିପୀଠ ରାଜଘାଟ ଆଜି ଗସ୍ତ କରିଥିଲୁ । ଯାହା ମୋତେ ଅଭିଭୂତ କରିଥିଲା ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।