ନୂଆଦିଲ୍ଲୀ: ଭାରତ ଅନ୍ତରୀକ୍ଷ ମହାଶକ୍ତି ପାଲିଟିଛି। ଆଜି ଡିଆର୍ଡିଓ ପକ୍ଷରୁ ବିକଶିତ ଆଣ୍ଟି ସାଟେଲାଇଟ୍ ମିସାଇଲ୍(ଏ-ସ୍ୟାଟ୍ ମିସାଇଲ୍)ର ସଫଳତା ପୂର୍ବକ ପରୀକ୍ଷଣ ପରେ ନୂତନ ଇତିହାସ ରଚନା ହୋଇଛି। ପୃଥିବୀଠାରୁ ୩୦୦ କିଲୋମିଟର ଦୂରରେ ଥିବା ଲୋ ଆର୍ଥ ଅରବିଟ୍ରେ ସ୍ଥାପିତ ଏକ କୃତିମ ଉପଗ୍ରହକୁ ଏ-ସ୍ୟାଟ ମିସାଇଲ ଜରିଆରେ ଧ୍ୱଂସ କରାଯାଇଛି। ଏପରି ବିରଳ ସଫଳତା ହାସଲ କରିବାରେ ଭାରତ ହେଉଛି ବିଶ୍ୱର ଚତୁର୍ଥ ରାଷ୍ଟ୍ର। ପୂର୍ବରୁ କେବଳ ଆମେରିକା, ଋଷ ଓ ଚୀନ ପାଖରେ ଏହି ଆଣ୍ଟି ସାଟେଲାଇଟ୍ ମିସାଇଲ୍ ଥିଲା। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବାର୍ତ୍ତା ଦେଇ କହିଛନ୍ତି,ଦେଶ ଆଜି ଏକ ଅଦ୍ଭୂତପୂର୍ବ ସଫଳତା ହାସଲ କରିଛି। ବିଶ୍ୱର ଚତୁର୍ଥ ରାଷ୍ଟ୍ର ଭାବେ ଭାରତ ଏହି ସିଦ୍ଧି ପ୍ରାପ୍ତ କରିଛି। ଆମର ବୈଜ୍ଞାନିକମାନେ ପୃଥିବୀଠାରୁ ୩୦୦ କିଲୋମିଟର ଦୂରରେ ଥିବା ଲୋ ଆର୍ଥ ଅର୍ବିଟ୍ରେ ସ୍ଥାପିତ ଏକ ଜୀବନ୍ତ ସାଟେଲାଇଟକୁ ମାତ୍ର ୩ ମିନିଟ୍ ମଧ୍ୟରେ ଧ୍ୱଂସ କରାଯାଇଛି। ଭାରତୀୟ ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ ଆଣ୍ଟି-ସାଟେଲାଇଟ୍ ମିସାଇଲ୍ ଦ୍ୱାରା ଏହା ସମ୍ଭବ ହୋଇଛି। ଲୋ-ଆର୍ଥ ଅର୍ବିଟ୍ରେ ପୂର୍ବରୁ ଅବସ୍ଥାପିତ ଏକ ନିର୍ଦ୍ଧାରିତ ଲକ୍ଷ୍ୟକୁ ମାତ୍ର ୩ମିନିଟ୍ ମଧ୍ୟରେ ଏହି ମିସାଇଲ୍ ଧ୍ୱଂସ କରିବାରେ ସଫଳ ହୋଇଛି। ‘ମିସନ ଶକ୍ତି’ ନାମରେ ନାମିତ ଏହି ଅପରେସନକୁ ସଫଳତାର ସହ ସମାପ୍ତ କରାଯାଇଛି। ଏହି ପରୀକ୍ଷଣ କୌଣସି ଆନ୍ତର୍ଜାତୀୟ ଚୁକ୍ତିର ଉଲ୍ଲଂଘନ କରୁନାହିଁ। ଦେଶର ୧୨୫କୋଟି ଜନତାଙ୍କ ସୁରକ୍ଷା ଲାଗି ଏହି ଆଣ୍ଟି-ସ୍ୟାଟଲାଇଟ୍ ମିସାଇଲ୍ ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇବା ସହ ଡିଆରଡିଓର ବୈଜ୍ଞାନିକ ଏବଂ ଗବେଷକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତ ଏକ ମହାକାଶ ଶକ୍ତି ଭାବେ ବହୁ ଉପଲବ୍ଧିର ଅଧିକାରୀ ହୋଇଥିବା ସହ ଆଜି ଅନ୍ତରୀକ୍ଷ ମହାଶକ୍ତି ଭାବେ ପୃଥିବୀ ସାମ୍ନାକୁ ଆସିଛି ବୋଲି ସେ କହିଛନ୍ତି। ମହାକାଶ ଓ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଭାରତ ଆଜି ଏକ ନୂଆ ଇତିହାସ ରଚିଛି।