ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଲା ଶ୍ରୀଲଙ୍କା

ନୂଆଦିଲ୍ଲୀ: ଆଇସିସି ବିଶ୍ୱକପ୍‌ର ୪୪ତମ ମ୍ୟାଚ୍‌ରେ ଆଜି ଅପରାହ୍ନରେ ଲିଡ୍‌ସରେ ଶ୍ରୀଲଙ୍କାକୁ ଭେଟୁଛି ଭାରତ। ଶ୍ରୀଲଙ୍କା ଟିମ୍‌ ଟସ୍‌ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଟିମ୍‌ ଇଣ୍ଡିଆ ପକ୍ଷରୁ ଆଜିର ମ୍ୟାଚ୍‌ରେ ଦୁଇଟି ପରିବର୍ତ୍ତନ କରାଯାଇଛି। ବୋଲର୍‌ ୟୁଜ୍‌ଭେନ୍ଦ୍ର ସିଂହ ଚହଲଙ୍କ ସ୍ଥାନରେ ଖେଳୁଛନ୍ତି କୂଳଦୀପ ଯାଦବ ଏବଂ ମହମ୍ମଦ ସାମିଙ୍କ ବଦଳରେ ଖେଳୁଛନ୍ତି ରବୀନ୍ଦ୍ର ଜାଡେଜା।

ଆଜି ଦୁଇଟି ମ୍ୟାଚ୍‌ ‌ଖେଳାଯିବାକୁ ଥିବାବେଳେ ଶୀର୍ଷ ସ୍ଥାନ ପାଇଁ ଅଲଗା ଅଲଗା ପଡ଼ିଆରେ ଲ‌ଢ଼େଇ ଚାଲିବ। ଲିଡ୍ସରେ ଭାରତ-ଶ୍ରୀଲଙ୍କା ଏବଂ ମାଞ୍ଚେଷ୍ଟର୍‌ରେ ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମୁକାବିଲାରୁ କିଏ ଶୀର୍ଷ ସ୍ଥାନ ଦଖଲ କରିବ ସ୍ପଷ୍ଟ ହୋଇଯିବ। ଏହି ଦୌଡ଼ରେ ରହିଛନ୍ତି ଭାରତ ଏବଂ ‌ଅଷ୍ଟ୍ରେଲିଆ। ଭାରତର ବିଜୟ ଏବଂ ଅଷ୍ଟ୍ରେଲିଆର ପରାଜୟ ହିଁ କୋହଲି ବାହିନୀକୁ ଶୀର୍ଷ ସ୍ଥାନରେ ପହଞ୍ଚାଇବାର ସୁଯୋଗ ରଖିବ। ଉଭୟ ଦଳ ବିଜୟୀ ହେଲେ ଭାରତ ୨ୟ ସ୍ଥାନରେ ଅପରିବର୍ତିତ ରହି ଇଂଲଣ୍ଡ ସହିତ ସେମିଫାଇନାଲ୍ ଜୁଲାଇ ୧୧ରେ ଏଜବାଷ୍ଟନ୍‌ରେ ଖେଳିବ। ଦକ୍ଷିଣ ଆଫ୍ରିକା ଯଦି ଅଷ୍ଟ୍ରେଲିଆକୁ ହରାଇବ ତେବେ ଭାରତ ଜିତିଲେ ଜୁଲାଇ ୯ ତାରିଖରେ ମାଞ୍ଚେଷ୍ଟରଠାରେ ନ୍ୟୁଜିଲାଣ୍ଡ୍ ସହିତ ସେମିଫାଇନାଲ୍‌ ଖେଳିବ।

ସେମିଫାଇନାଲ୍ ପ୍ରବେଶ ନିଶ୍ଚିତ ହେବା ପରେ ଭାରତ ପାଇଁ ଶ୍ରୀଲଙ୍କା ବିପକ୍ଷ ମୁକାବିଲା ଦଳର ମଧ୍ୟକ୍ରମ ସଜାଡ଼ିବାକୁ ସୁଯୋଗ ଆଣିଛି। ମହେନ୍ଦ୍ର ସିଂହ ‌ଧୋନିଙ୍କ ତତ୍ବାବଧାନରେ ଥିବା ମଧ୍ୟକ୍ରମ ଚିନ୍ତାଜନକ ସ୍ଥିତିରେ ରହିଥିଲେ ମଧ୍ୟ ଭାରତର ବିଜୟଧାରା ପ୍ରଭାବିତ ହୋଇନାହିଁ। ଭାରତ ଖେଳିଥିବା ୭ ମ୍ୟାଚ୍‌ରୁ ୬ ଜିତି ସାରିଛି।

ଗତ ମ୍ୟାଚ୍‌ମାନଙ୍କରେ ଟିମ୍‌ ଇଣ୍ଡିଆର ବହୁ ଖେଳାଳି ଆହତ ହୋଇଥିବା କଥା ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଥିବା ବେଳେ ନିକଟରେ ଜଣେ ପରେ ଜଣେ ସୁସ୍ଥ ହୋଇ ଫ୍ୟାନମାନଙ୍କୁ ଅଶ୍ୱସ୍ତ କରାଇଛନ୍ତି। ପୂର୍ବରୁ ଭୁବନେଶ୍ୱର କୁମାର ଫିଟ୍‌ ହୋଇ ବ୍ରିଗେଡ୍‌ରେ ସାମିଲ୍‌ ହୋଇଥିବା ବେଳେ ଏବେ ଟିମ୍‌ ଇଣ୍ଡିଆର ଆଉ ଜଣେ ଖେଳାଳି ବି ସୁସ୍ଥ ହୋଇ ଯାଇଥିବା ସୂଚନା ରହିଛି।

ଏପଟେ ପୂର୍ବତନ କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନୀ ବିଗତ ମ୍ୟାଚ୍‌ମାନଙ୍କରେ ତାଙ୍କର ଧୀରମନ୍ଥର ପ୍ରଦର୍ଶନ ପାଇଁ ସମାଲୋଚିତ ହୋଇଥିଲେ ବି ଏଥର ମ୍ୟାଚ୍‌ରେ ଧୋନୀଙ୍କ ଉପରେ ଯଥେଷ୍ଟ ଭରସା ରହିଛି। ଏପରିକି ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଧୋନୀଙ୍କ ଆଙ୍ଗୁଠିରୁ ରକ୍ତ ବାହାରିବା ପରେ ସେ ଗୁରୁତର ଆହତ ହୋଇଥିବା ଜାଣିବାକୁ ମିଳିଥିଲା। ମାତ୍ର ଧୋନୀ ଏବେ ସଂପୂର୍ଣ୍ଣ ସୁସ୍ଥ ହୋଇ ପଡ଼ିଆକୁ ଓହ୍ଲାଇବା ପରେ ଭାରତୀୟ ଖେଳ ପ୍ରେମୀଙ୍କ ଭିତରେ ଆଶାର କିରଣ ଦେଖା ଦେଇଛି।

ତେବେ, ଆଜି ଖେଳରେ ଶ୍ରୀଲଙ୍କାର ପ୍ରଦର୍ଶନ ବି ଟିମ୍‌ ଇଣ୍ଡିଆକୁ ଟକ୍କର ଦେବା ପରି ହେବ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି। ଶ୍ରୀଲଙ୍କାର ଦକ୍ଷ ବୋଲର୍‌ ଲସିତ୍‌ ମାଲିଙ୍ଗା ଏଥର ଶେଷ ଥର ପାଇଁ ବିଶ୍ୱକପ୍‌ ଖେଳୁଥିବାରୁ ତାଙ୍କ ପ୍ରଦର୍ଶନ ଉପରେ ସାରା ବିଶ୍ୱର ଲକ୍ଷ। ଦୁଇ ଜୋର୍‌ଦାର ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିବା ଏହି ମ୍ୟାଚ୍‌କୁ ଦେଖିବାକୁ ସଭିଙ୍କ ଭିତରେ ଉତ୍ସୁକତା ଦେଖିବାକୁ ମିଳିଛି।