ଦିଲ୍ଲୀରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯୁବପୀଢ଼ି ପାଇଁ ଗୁରୁବାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ମୁଣ୍ଡକାଠାରେ ଏକ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ସେ ଘୋଷଣା କରିଛନ୍ତି । ଏହି କ୍ରୀଡ଼ା ବିଶ୍ୱବିଦ୍ୟାଳୟ ୯୦ ଏକର ଜମିରେ ନିର୍ମାଣ ହେବ । ଜଣେ କ୍ରୀଡ଼ାବିଦଙ୍କୁ ଏହି ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ ନିଯୁକ୍ତି ହେବେ । କେଜ୍ରିୱାଲ କହିଛନ୍ତି, କ୍ରୀଡ଼ା ବିଶ୍ୱବିଦ୍ୟାଳୟ ପାଇଁ କ୍ୟାବିନେଟ ମଞ୍ଜୁରୀ ଦିଆଯାଇଛି । ଏବେ ଏହା ଉପରାଜ୍ୟପାଳଙ୍କ ନିକଟକୁ ମଂଜୁରୀ ପାଇଁ ଯିବ । ଆମେ ଆଶା କରୁଛୁ ଯେ, ଏହାକୁ ବିଧାନସଭାର ଶୀତକାଳୀନ ଅଧିବେଶନରେ ଗୃହୀତ କରିଦେବୁ । 

କେଜ୍ରିୱାଲ କହିଛନ୍ତି, ମୁଣ୍ଡକାରେ ଦେଶର ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଖୋଲାଯିବ । ଏଥିରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ସାର୍ଟିଫିକେଟ ଦିଆଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ବିଶ୍ୱବିଦ୍ୟାଳୟରେ ବିଶ୍ୱସ୍ତରୀୟ କ୍ରୀଡ଼ାବିଦ ଓ କୋଚ ଗଢ଼ାଯିବ । ଏହି ବିଲରେ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ସ୍କୁଲ ଖୋଲିବାର ବ୍ୟବସ୍ଥା ଅଛି । ଯଦି କୌଣସି ପିଲା ୫ମ ଅଥବା ୬ଷ୍ଠ ଶ୍ରେଣୀରେ କ୍ରୀଡ଼ା କ୍ଷେତ୍ରରେ ନିଜର ପ୍ରତିବା ଦର୍ଶାଇଥାଏ, ତା’ହେଲେ ତାଙ୍କୁ କ୍ରୀଡ଼ା ସ୍କୁଲରେ ପ୍ରବେଶ ମିଳିପାରିବ । କ୍ରୀଡ଼ା ବିଶ୍ୱବିଦ୍ୟାଳୟରେ କ୍ରିକେଟ, ଫୁଟବଲ, ହକି ଆଦି ବିଷୟରେ ଡିଗ୍ରୀ ମିଳିପାରିବ ଏବଂ ଖେଳାଳିମାନେ ସିଭିଲ ସର୍ଭିସ ପାଇଁ ପରୀକ୍ଷା ଦେଇ ପାରିବେ ।