ଶତାୟୁଙ୍କ ଘରେ ପହଂଚିଲା ପୋଷ୍ଟ ଅଫିସ୍‌

ନୂଆପଡା: ନୂଆପଡାରେ ଜଣେ ବୃଦ୍ଧା ମାଆଙ୍କୁ ତାଙ୍କ ଝିଅ ଖଟିଆରେ ଘୋଷାରି ଘୋଷାରି ବ୍ୟାଙ୍କ ନେଇଥିଲେ । ଏହି ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଡାକ ବିଭାଗର ତତ୍ପରତା ପ୍ରକାଶ ପାଇଛି । ଗତ ୧୭ ତାରିଖରେ ଶତାୟୁ ମହିଳାଙ୍କ ପାଖରେ ପହଂଚି ଇଣ୍ଡିଆ ପୋଷ୍ଟ ପେମେଂଟ ଖାତା ଖୋଲିଛି । ଫଳରେ ଏବେ ସେ ଘରେ ରହି ଟଙ୍କା ଉଠାଇପାରିବେ ।

କେବଳ ସେତିକି ନୁହେଁ ଶତାୟୁ ମହିଳାଙ୍କ ଝିଅ ଓ ଜ୍ୱାଇଁଙ୍କ ନାଁରେ ମଧ୍ୟ ‘ଇଣ୍ଡିଆ ପୋଷ୍ଟ ପେମେଂଟ’ ଦୁଇଟି ଖାତା ଖୋଲିଛି । ଆକାଉଂଟରୁ ଟଙ୍କା ଉଠାଇବା ପାଇଁ ୩ଟି ଏଟିଏମ୍ କାର୍ଡ ମଧ୍ୟ ଦେଇଛି ଡାକ ବିଭାଗ । ଏନେଇ କେନ୍ଦ୍ର ଆଇନ୍ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଫେସ୍‌ବୁକ୍‌ରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ ଯେ, ନୂଆପଡା ଖଡିଆ ବ୍ଲକ ବରଗାଁର ଶତାୟୁ ମହିଳା ଲଭେ ହରିଜନଙ୍କ ଜନଧନ ଆକାଉଂଟରୁ ଟଙ୍କା ଉଠାଇବା ପାଇଁ ଝିଅ ପୁଇଂଜ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଯାଇଥିଲେ । ତେବେ ବ୍ୟାଙ୍କ କର୍ମଚାରୀ ଲଭେଙ୍କ ନାଁରେ ଆକାଉଂଟଟି ଥିବାରୁ ପୁଇଂଜକୁ ଟଙ୍କା ଉଠାଇବାକୁ ଦେଇନଥିଲେ । ମାଆଙ୍କୁ ନେଇ ଆସିଲେ ଯାଇ ଟଙ୍କା ଉଠିବ ବୋଲି ସେ କହିଥିଲେ । ଏହାପରେ ଝିଅ ଚଲିବୁଲି ପାରୁନଥିବା ଶତାୟୁ ମାଆଙ୍କୁ ଖଟିଆରେ ଘୋଷାରି ଘୋଷାରି ବ୍ୟାଙ୍କ ନେଇଥିଲେ । ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।