ଏପ୍ରିଲ ୧୬ ରୁ ୨୦ ମଧ୍ୟରେ ଭାରତ ଆଉ ଏକ ଆକ୍ରମଣ କରିପାରେ : ପାକ୍‌ ବିଦେଶମନ୍ତ୍ରୀ

ଇସଲାମାବାଦ : ଅନ୍ତର୍ଜାତୀୟ ଚାପରେ ଥିବା ପାକିସ୍ତାନ ଭାରତ ବିରୋଧରେ କୁପ୍ରଚାର କରିବା ଆରମ୍ଭ କରିଛି। ଏହି କ୍ରମରେ ପାକିସ୍ତାନ ବିଦେଶ ମନ୍ତ୍ରୀ ଶାହା ମେହମୁଦ କ୍ୟୁରେଶୀ ଏକ ମନଗଢା କାହାଣୀ ଶୁଣାଇଛନ୍ତି। କ୍ୟୁରେଶୀ ଦାବି କରିଛନ୍ତି ଯେ ଭାରତୀୟ ସେନା ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଭାରତରେ ଚାଲିଥିବା ନିର୍ବାଚନ ମଧ୍ୟରେ ଅପ୍ରେଲ ତୃତୀୟ ସପ୍ତାହରେ ଭାରତୀୟ ସେନା ପାକିସ୍ତାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନେବ। ସୂଚନା ଅନୁସାରେ ୧୬ରୁ ୨୦ ମଧ୍ୟରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବକୁ ଯୋଜନା କରିଛି। ଏଥିରେ ହସ୍ତକ୍ଷେପ କରିବାକୁ ସେ ଅନ୍ତର୍ଜାତୀୟ ସମୂହଙ୍କୁ ନିବେଦନ କରିଛନ୍ତି।
ଶାହା ମେହମ୍ମୁଦ କ୍ୟୁରେଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଦାବି କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ଉପରେ ଆକ୍ରମଣ କରିବା ପାଇଁ ଭାରତ ଏକ ନୂଆ ଯୋଜନା ପ୍ରସ୍ତୁତ କରିଛି। ଏନେଇ ପାକିସ୍ତାନ ସରକାରଙ୍କ ପାଖରେ ଠୋସ୍‍ ସୂଚନା ରହିଛି। ପାକିସ୍ତାନ ଏହି ସୂଚନା ମିଳିତ ଜାତିସଂଘ ସୁରକ୍ଷା ପରିଷଦର ପାଞ୍ଚ ସ୍ଥାୟୀ ସଦସ୍ୟଙ୍କୁ ଦେଇଛି।
ଉଲ୍ଲେଖଯୋଗ୍ୟ ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିସ୍ଥିତି ଶାନ୍ତ ପଡ଼ିଥିଲେ ବି ସମ୍ପର୍କ ସୁଧୁରି ନାହିଁ। ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଇ ଅନ୍ତର୍ଜାତୀୟ ଚାପରେ ଥିବା ପାକିସ୍ତାନ ଭାରତ ବିରୋଧରେ ମିଥ୍ୟା ପ୍ରଚାର କରିବାରେ ଲାଗିଛି।