ଭାରତ-ପାକିସ୍ତାନ ୱାର୍ଲ୍ଡକପ୍ ମ୍ୟାଚ୍କୁ ନେଇ ପ୍ରଶ୍ନବାଚୀ

ନୂଆଦିଲ୍ଲୀ: ଆଗକୁ ଆସୁଛି ୱାର୍ଲ୍ଡକପ୍ । ତେବେ ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ସହ ୱାର୍ଲ୍ଡକପ୍ ମ୍ୟାଚ୍ ଖେଳିବ ନାହିଁ ବୋଲି ମନା କରିଛି । ମାତ୍ର ଏଯାବତ୍ ଏ ନେଇ କୌଣସି ନିଷ୍ପତି ହୋଇନାହିଁ । ଅନ୍ୟପଟେ ଓଡ଼ିଶା ଗସ୍ତରେ ଆସିଥିବା ବିସିସିଆଇର କାର୍ଯ୍ୟକାରୀ ସଭାପତି ସି.କେ ଖାନ୍ନା କହିଛନ୍ତି ଯେ, କେନ୍ଦ୍ର ସରକାର ଏହାର ଚୂଡାନ୍ତ ନିଷ୍ପତି ଦେବେ ବୋଲି କ୍ରିକେଟ୍ ପ୍ରଶାସକ କମିଟି ସ୍ପଷ୍ଟ କରିଛନ୍ତି ।
କିଛିଦିନ ତଳେ ପାକିସ୍ତାନ ବିପକ୍ଷ ମ୍ୟାଚ ବହିଷ୍କାର କରିବା ନିଷ୍ପତି ବିସିସିଆଇ ସରକାରଙ୍କ ଉପରେ ଛାଡି ଦିଆଯାଇଛି ଓ ସରକାର ଯାହା ବି ନିଷ୍ପତି ନେବେ ତାହାକୁ ବିସିସିଆଇ ମାନିବ ବୋଲି ବୋର୍ଡର ସିଓଏ ବିନୋଦ ରାୟ କହିଥିଲେ । ସରକାରଙ୍କ ସହ ଆଲୋଚନା ପରେ ଏନେଇ କୌଣସି ନିଷ୍ପତି ନିଆଯିବ । ବିଶ୍ୱକପକୁ ଆହୁରି ୩ ମାସ ସମୟ ବାକି ଥିବା ବେଳେ ଆଇସିସିର ବୈଠକରେ ବିସିସିଆଇ ପାକିସ୍ତାନକୁ ନେଇ ନିଜର ସମସ୍ୟା ଜଣାଇବ ବୋଲି ବିନୋଦ ରାୟ କହିଥିଲେ ।ଭାରତ ଓ ପାକିସ୍ତାନ ମଧ୍ୟରେ ଜୁନ୍ ୧୬ରେ ବିଶ୍ୱକପର ଲିଗ୍ ମ୍ୟାଚ୍ ଖେଳାଯିବାକୁ ସ୍ଥିର କରାଯାଇଛି । ପାକିସ୍ତାନ ବିପକ୍ଷ ରାଉଣ୍ଡ ରବିନ୍ ମ୍ୟାଚ୍ ଭାରତ ବହିଷ୍କାର କଲେ, ଉଭୟ ଆଇସିସି ଓ ବିଜ୍ଞାପନ କମ୍ପାନିକୁ ପ୍ରବଳ ମାତ୍ରାରେ ଆର୍ଥିକ କ୍ଷତି ସହିବାକୁ ପଡିପାରେ । ଏହାଛଡା ଭାରତ ପାକିସ୍ତାନ ବିପକ୍ଷ ମ୍ୟାଚ ନ ଖେଳିଲେ ଏଭଳି ସ୍ଥିତିରେ ପାକିସ୍ତାନକୁ ବିଜୟୀ ଘୋଷିତ କରାଯିବ । ମିଳିଥିବା ସୂଚନା ଅନୁଯାୟୀ, ସରକାର ଚାହୁଁଛନ୍ତି ନକଆଉଟ ପର‌୍ୟ୍ୟାୟରେ ମଧ୍ୟ ପାକିସ୍ତାନ ବିପକ୍ଷ ମ୍ୟାଚକୁ ବହିଷ୍କାର କରୁ ଭାରତ । ଏହାପୂର୍ବରୁ ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ହରଭଜନ ସିଂ ମଧ୍ୟ ପାକିସ୍ତାନ ବିପକ୍ଷ ରାଉଣ୍ଡ ରବିନ ମ୍ୟାଚକୁ ଭାରତ ବହିଷ୍କାର କରୁ ବୋଲି ଦାବି କରି ଆସୁଛନ୍ତି । ଗାଙ୍ଗୁଲିଙ୍କ କହିବା ଅନୁଯାୟୀ, ୧୦ଟି ଟିମକୁ ନେଇ ବିଶ୍ୱକପ ଖେଳାଯିବ । ପ୍ରତ୍ୟେକ ଅନ୍ୟ ୯ଟି ଟିମ୍ ସହ ରାଉଣ୍ଡ ରବିନ ମ୍ୟାଚ୍ ଖେଳିବେ । ତେଣୁ ଭାରତ ରାଉଣ୍ଡ ରବିନ ମ୍ୟାଚରେ ପାକିସ୍ତାନ ସହ ଯଦି ନ ଖେଳେ ତେବେ ମଧ୍ୟ ଭାରତୀୟ ଟିମ୍ ଉପରେ ସେଭଳି କୌଣସି ପ୍ରଭାବ ପଡିବ ନାହିଁ ।