ଭାରତ-ପାକିସ୍ତାନ ଉତେଜନା ଥଣ୍ଡା ହେଲେ ଛାଡିବା କଥା ଭାବିବୁ: ପାକ୍ ବୈଦେଶିକ ମନ୍ତ୍ରୀ କ୍ୱିରେସି

ନୂଆଦିଲ୍ଳୀ: ପାକିସ୍ତାନୀ ସେନା କବ୍ଜାରେ ଥିବା ଭାରତୀୟ ବାୟୁ ସେନାର ପାଇଲଟ୍‌ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନଙ୍କୁ ଛାଡ଼ିବା ନେଇ ମୁହଁ ଖୋଲିଛନ୍ତି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହା ମେହମୁଦ କ୍ୱିରେସି। ସେ କହିଛନ୍ତି ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଥଣ୍ଡା ପଡ଼ିବା ପରେ ଯାଇ ସେ କମାଣ୍ଡର୍‌ ଅଭିନନ୍ଦନଙ୍କୁ ଛାଡ଼ିବା କଥା ଚିନ୍ତା କରିବେ। ଜଣେ ଭାରତୀୟ ପାଇଲଟ୍‌କୁ ପାକିସ୍ତାନ ଗିରଫ କରିଛି ବୋଲି ପାକିସ୍ତାନ ସେନା ପ୍ରକାଶ କରିବା ପରଦିନ ହିଁ କ୍ୱିରେସି ଏପରି ବୟାନ ଦେଇଛନ୍ତି। ବୁଧବାର ପାକିସ୍ତାନ ସେନା ବିମାନ ଏଫ୍‌-୧୬ ସୀମା ପାର୍‌ କରି ଭାରତୀୟ ସେନା ଉପରେ ଆକ୍ରମଣ ଉଦ୍ୟମ କରିଥିଲା। ଭାରତୀୟ ସେନା ଜବାବରେ ଏଫ୍‌-୧୬ ବିମାନକୁ ଗୁଳି କରି ଖସାଇ ଦେଇଥିଲେ। ସେମାନେ ମଧ୍ୟ ଏକ ଭାରତୀୟ ଯୁଦ୍ଧ ବିମାନକୁ ଗୁଳି କରି ଖସାଇବା ସହ ବିମାନରେ ଥିବା ପାଇଲଟ କମାଣ୍ଡର୍‌ ଅଭିନନ୍ଦନ ବର୍ତମାନଙ୍କୁ ଧରି ନେଇ ଯାଇଥିଲେ। ଅଭିନ୍ଦନଙ୍କୁ ଧରି ନେଇ ପାକ୍‌ ତାଙ୍କ ଆଖିରେ କଳା ପଟି ବାନ୍ଧି ଏକ ଭିଡିଓ ଜାରି କରିବା ପରେ କମାଣ୍ଡରଙ୍କୁ ସସମ୍ମାନେ ଛାଡ଼ିବା ପାଇଁ ଭାରତ ପକ୍ଷରୁ ଦାବି ହୋଇଛି।