ଉତ୍ତରାଖଣ୍ଡ ପଂଚାୟତ ନିର୍ବାଚନ: ୧ମ ପର୍ଯ୍ୟାୟ ମତଦାନ ଜାରି

ଡେରାଡୁନ: ଉତ୍ତରାଖଣ୍ଡ ପଂଚାୟତ ନିର୍ବାଚନ ପାଇଁ ଶନିବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ଆଜି ୩୦ଟି ବ୍ଲକରେ ମତଦାନ ଗ୍ରହଣ କରାଯାଉଛି । ଏଥି ପାଇଁ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଛି । ମତଦାନ କେନ୍ଦ୍ର ଗୁଡ଼ିକରେ ପୋଲିସ ମୁତୟନ କରାଯାଇଛି । ସେହିପରି ପୋଲିସ ଟିମ ଶାନ୍ତି ଶୃଙ୍ଖଳା ସହ ମତଦାନ ଶେଷ କରିବାକୁ ପରିସ୍ଥିତି ଉପରେ ନଜର ରଖିଛନ୍ତି । 

ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତ-ନେପାଳ ସୀମା ସିଲ କରି ଦିଆଯାଇଛି । ମୁନାକୋଟ ବ୍ଲକର ଝୁଲାଘାଟ ଅନ୍ତର୍ଜାତୀୟ ପୋଲକୁ ଗୁରୁବାର ସନ୍ଧ୍ୟା ୫ଟାରେ ବନ୍ଦ କରି ଦିଆଯାଇଛି । ଏହି ପୋଲ ଆଜି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟର ମତଦାନ ଶେଷ ହେବା ପରେ ପୁଣି ଖୋଲାଯିବ ।

ପାଖାପାଖି ୧୫ ଲକ୍ଷ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ପ୍ରଥମ ପର୍ଯ୍ୟାୟରେ ୧୨୧ ଜିଲ୍ଲା ପରିଷଦ, ୧୦୨୨ପଂଚାୟତ ସମିତ, ୨ ହଜାର ୪୬୪ ସରପଞ୍ଚ ଓ ୧୮ ହଜାର ୪୦୬ ୱାର୍ଡମେମ୍ବରଙ୍କୁ ମତଦାତା ଭୋଟ ଦେବେ।