ସ୍କାଏମେଟର ଆକଳନ: ସ୍ୱାଭାବିକ ଠାରୁ କମ ରହିବ ବୃଷ୍ଟିପାତ

ନୂଆଦିଲ୍ଲୀ : ଚଳିତବର୍ଷ ମୌସୁମୀ ବର୍ଷା ସାଧାରଣଠାରୁ ଟିକେ କମ୍‌ ହୋଇପାରେ ବୋଲି ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ପୂର୍ବାନୁମାନ କରିଛି । ସ୍ୱାଭାବିକ ବୃଷ୍ଟିପାତଠାରୁ ପରିମାଣ କମ ରହିବ । ମୌସୁମୀ ବାୟୁ ଦୀର୍ଘ ସମୟ ଧରି ସକ୍ରିୟ ରହିଲେ ମଧ୍ୟ ଏହା ସ୍ୱାଭାବିକ ମୌସୁମୀ ବର୍ଷାଠାରୁୁ କମ୍‌ ପରିମାଣର ବୃଷ୍ଟିପାତ କରାଇବ ବୋଲି ଆକଳନ କରାଯାଇଛି ।

ସ୍କାଏମେଟ୍‌ ଆକଳନ ଅନୁସାରେ ଚଳିତବର୍ଷ ଦେଶରେ ସ୍ୱାଭାବିକ ବୃଷ୍ଟିପାତଠାରୁ ବୃଷ୍ଟିପାତର ପରିମାଣ କମ୍‌ ରହିବା ସହ ଏହା ମୁଖ୍ୟତଃ ୯୦ରୁ ୯୩ ପ୍ରତିଶତ ମଧ୍ୟରେ ସୀମିତ ରହିବ । କମ୍‌ ମୌସୁମୀ ବୃଷ୍ଟିପାତର କାରଣ ଦର୍ଶାଇବାକୁ ଯାଇ ସ୍କାଏମେଟ୍‌ କହିଛି ଚଳିତବର୍ଷ ଭାରତରେ ମୌସୁମୀ ଏଲ୍‌-ଲିନୋ ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହେବ । ଯାହାଫଳରେ ମୌସୁମୀ ବାୟୁ ଓ ମୌସୁମୀ ପ୍ରଭାବ ଯଦିଓ ଦେଶରେ ଲମ୍ବା ସମୟ ପର‌୍ୟ୍ୟନ୍ତ ମୌସୁମୀ ପ୍ରବାହ ସକ୍ରିୟ ରହିବ ତେବେ ଏହା ଶତ ପ୍ରତିଶତ ବୃଷ୍ଟିପାତ କରାଇବାରେ ସକ୍ଷମ ହେବ ନାହିଁ । ଉଲ୍ଳେଖଯୋଗ୍ୟ, ଭାରତର ଅର୍ଥନୈତିକ ବ୍ୟବସ୍ଥା ଗଭୀର ଭାବରେ ମୌସୁମୀ ଦ୍ୱାରା ପ୍ରଭାବିତ ହୋଇଥାଏ । କାରଣ ଭାରତ ଏକ କୃଷି ପ୍ରଧାନ ଦେଶ । ଏଲ୍‌-ଲିନୋ ପ୍ରଭାବରେ କମ୍‌ ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା ହେତୁ ଭାରତୀୟ କୃଷି ଓ ଅର୍ଥନୀତିକୁ ମଧ୍ୟ ଏହା ବେଶ୍‌ ପ୍ରଭାବିତ କରିବ ।