ନୂଆଦିଲ୍ଲୀ: ଗଲ୍ୱାନ୍ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନ୍ୟଙ୍କ ମଧ୍ୟରେ ଭୀଷଣ ସଂଘର୍ଷ ଘଟି ଭାରତୀୟ ସେନାର ଜଣେ କର୍ଣ୍ଣେଲ୍ ପାହ୍ୟାର ଅଧିକାରୀ ଏବଂ ଦୁଇଜଣ ଯବାନ ସହିଦ ହୋଇଥିବା କଥା ମଙ୍ଗଳବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ଏକ ବିବୃତିରେ କହିଛି।
ଘଟଣାଟି ସୋମବାର ରାତିରେ ଘଟିଥିବା ଜଣାପଡ଼ିଛି। ଗୁଳିଗୋଳା ଚାଳନା କରା ନ ଯାଇ ଠେଙ୍ଗା ଓ ଟେକାପଥର ଦ୍ୱାରା ଭାରତୀୟ ସୈନିକମାନଙ୍କୁ ଆକ୍ରମଣ କରାଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଭାରତୀୟ ସୈନିକମାନେ ପ୍ରଥମେ ଆକ୍ରମଣ କରିଥିବା କଥା ଚୀନ୍ ସେନା ଅଭିଯୋଗ କରିଛି।
ବିବୃତିରେ ଉଲ୍ଲେଖ ଅଛି ଯେ, ପୂର୍ବ ଲଦାଖ ସେକ୍ଟର୍ର ଚାରି ବିବାଦୀୟ ସ୍ଥାନ ମଧ୍ୟରୁ ଅନ୍ୟତମ ବିବାଦୀୟ ସ୍ଥଳ ଗଲ୍ୱାନ୍ ଉପତ୍ୟକାରେ ଭାରତୀୟ ଏବଂ ଚୀନ୍ ସୈନିକମାନଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଘଟି ଉଭୟ ପକ୍ଷର ଯବାନମାନେ ମୃତାହତ ହୋଇଛନ୍ତି। ଭାରତୀୟ ସେନାର ଜଣେ କମାଣ୍ଡିଙ୍ଗ୍ ଅଫିସର୍ ଏବଂ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ପରିସ୍ଥିତି ଶାନ୍ତ କରାଇବାକୁ ସମ୍ପ୍ରତି ଦୁଇ ପକ୍ଷର ବରିଷ୍ଠ ସାମରିକ ଅଧିକାରୀମାନେ ଏବେ ଘଟଣାସ୍ଥଳରେ ଆଲୋଚନା କରୁଛନ୍ତି।
ଉତ୍ତେଜନା ପ୍ରଶମନ ପ୍ରକ୍ରିୟା ଜାରି ରହିଥିବା ବେଳେ ଏହି ସଂଘର୍ଷ ଘଟିଛି। ଗତ ପାଞ୍ଚ ସପ୍ତାହ ହେବ ପୂର୍ବ ଲଦାଖର ପାଙ୍ଗୋଙ୍ଗ୍ ସୋ, ଗଲ୍ୱାନ୍ ଉପତ୍ୟକା, ଡେମଚୋକ ଏବଂ ଦୌଲତ୍ ଓଲ୍ଡିରେ ଭାରତୀୟ ଓ ଚୀନ୍ ସୈନିକମାନଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି।