ବାଇକ୍ ପାର୍କିଙ୍ଗ୍ କୁ ନେଇ ୧୦୦ ବର୍ଷ ତଳର ମନ୍ଦିର ଭାଙ୍ଗିଦେଲେ

ନୂଆଦିଲ୍ଲୀ: ସାମାନ୍ୟ ବାଇକ୍ ପାର୍କିଙ୍ଗ୍ କାରଣରୁ ୧୦୦ ବର୍ଷ ତଳର ଏକ ମନ୍ଦିରକୁ ଭାଙ୍ଗିଦେଲେ ଲୋକେ । ଦିଲ୍ଲୀର ଚାନ୍ଦନିଚୌକ ଅଞ୍ଚଳରେ ମନ୍ଦିର ଆଗରେ ବାଇକ୍ ପାର୍କିଙ୍ଗକୁ ନେଇ ଦୁଇ ସଂପ୍ରଦାୟ ଭିତରେ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ଏତେ ଉଗ୍ର ହେଲା ଯେ ଦୁଇ ଚାହୁଁ ଚାହୁଁ ଦୁଇ ଜଣଙ୍କ ମଧ୍ୟରେ ହୋଇଥିବା ତର୍କ ଗୋଷ୍ଠୀ ସଂଘର୍ଷର ରୂପ ନେଲା।
ଗତ ରବିବାର ରାତି ୧୦ ଟା ସମୟରେ ଏକ  ଗୋଷ୍ଠୀ ମନ୍ଦିର ଆଗରେ ଜମା ହୋଇ ମନ୍ଦିରକୁ ଭାଙ୍ଗି ଦେଇଥିଲେ । ଚାନ୍ଦନିଚୌକ ଅଞ୍ଚଳରେ ଥିବା ୧୦୦ ବର୍ଷ ତଳର ଏହି ଦୁର୍ଗା ମନ୍ଦିରକୁ ସଂପୂର୍ଣ୍ଣ ରୁପେ ଭାଙ୍ଗି ଦିଆଯାଇଥିଲା । ସ୍ଥାନୀୟ ଲୋକଙ୍କ ଦ୍ୱାରା ସୋମବାର ସକାଳ ଏନେଇ ତୀବ୍ର ପ୍ରତିକ୍ରିୟା ଦେଖାଯାଇଥିଲା । ପ୍ରତିବାଦ କରୁଥିବା ଏହି ଲୋକଙ୍କୁ କିଛି ଲୋକ ପଥର ମାଡ଼ କରିଥିବା ଖବର ମଧ୍ୟ ଆସିଛି । ମନ୍ଦିର ଭାଙ୍ଗୁଥିବା ଏବଂ ମନ୍ଦିରକୁ ସୁରକ୍ଷା ଦେଉଥିବା ସମୟରେ ଅନେକ ଲୋକ ପଥର ମାଡ଼ର ଶିକାର ହୋଇ ଆହତ ହୋଇଥିବା ଜଣାଯାଇଛି ।