ଶ୍ରୀଲଙ୍କାକୁ ହରାଇଲା ଭାରତ: ରାହୁଲ ଓ ରୋହିତ ହାସଲ କଲେ ଶତକ

ଲିଡ୍ସ: ଥମେ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ପରେ ହିଟ୍ ମ୍ୟାନ ରୋହିତ ଶର୍ମାଙ୍କ ଚଳିତ ବିଶ୍ଵ କପରେ ପଞ୍ଚମ ଶତକ ଏବଂ ଲୋକେଶ ରାହୁଲଙ୍କ ପ୍ରଥମ ଶତକ ବଳରେ ଭାରତ ଏଠାରେ ଖେଳାଯାଇଥିବା ବିଶ୍ଵକପ ୨୦୧୯ର ନିଜର ଶେଷ ମୁକାବିଲାରେ ଶ୍ରୀଲଙ୍କାକୁ ୭ ଓ୍ଵିକେଟରେ ପରାସ୍ତ କରିଛି। ଭାରତ ବିଜୟ ସହିତ ସେମି ପୂର୍ବରୁ ନିଜର ମନୋବଳ ଦୃଢ କରିଛି। ଏହି ବିଜୟ ସହ ଭାରତ ୯ଟି ମ୍ୟାଚରୁ ୭ ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ବାତିଲ ସହିତ ମୋଟ୍ ୧୫ ପଏଣ୍ଟ ପାଇଛି। ଯଦି ଆଜିର ଅନ୍ୟ ଏକ ମ୍ୟାଚରେ ଅଷ୍ଟ୍ରେଲିଆ ଦକ୍ଷିଣ ଆଫ୍ରିକାଠୁ ହାରିଯାଏ ତେବେ ଭାରତ ଶୀର୍ଷ ସ୍ଥାନକୁ ଉନ୍ନୀତ ହେବ ଏବଂ ସେମି ଫାଇନାଲରେ ତାଲିକାର ଚତୁର୍ଥରେ ଥିବା ନ୍ୟୁଜିଲାଣ୍ଡକୁ ଭେଟିବ। କାରଣ ଅଷ୍ଟ୍ରେଲିଆର ୭ ବିଜୟ ଓ ୨ ପରାଜୟ ପରେ ୧୪ ପଏଣ୍ଟରେ  ରହିବ।

ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ଆଞ୍ଜେଲୋ ମାଥ୍ୟୁସଙ୍କ ୧୧୩ ଏବଂ ଲାହିରୁ ଥିରିମାନେଙ୍କ ୫୩ ରନ ବଳରେ ନିର୍ଦ୍ଧାରିତ ଓଭରରେ ୨୬୪ ରନ କରିଥିଲା। ଜବାବରେ ଭାରତ ରୋହିତଙ୍କ ୧୦୩ ରନ ଏବଂ ଲୋକେଶ ରାହୁଲଙ୍କ ଅପରାଜିତ ୧୧୦ ରନ ବଳରେ ୪୩.୩ ଓଭରରେ ୨୬୫ ରନର ବିଜୟ ଲକ୍ଷ୍ୟ ହାସଲ କରିଛି। ଶ୍ରୀଲଙ୍କାର ବୋଲର ପ୍ରଭାବହୀନ ରହିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଶାଣିତ ବୋଲିଂ କରି ତିନୋଟି ସଫଳତା ପାଇ ଶ୍ରୀଲଙ୍କାକୁ ୨୬୪ ରନରେ ସୀମିତ ରଖିଥିଲେ। ଚଳିତ ବିଶ୍ଵକପରେ କ୍ରମାଗତ ତୃତୀୟ ତଥା ପଞ୍ଚମ ଶତକ  ହାସଲ କରିଥିବା ରୋହିତ ଶର୍ମା ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।

୨୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତର ଦୁଇ ଓପନର ଦଳକୁ ଦୃଢ ଆରମ୍ଭ ଦେଇଥିଲେ। ଆରମ୍ଭରୁ ଦୁଇ ବୋଲର ଶ୍ରୀଲଙ୍କା ବୋଲରଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ଉଭୟ ବ୍ୟାଟସମ୍ୟାନ ୧୮.୧ ଓଭରରେ ଶତକୀୟ ଭାଗିଦାରୀ ଯୋଡିଥିଲେ। ଏହି କ୍ରମରେ ରୋହିତ ଶର୍ମା ୯୨ ବଲରୁ ବିଶ୍ଵ କପରେ କ୍ରମାଗତ ତୃତୀୟ ଶତକ ହାସଲ କରିଥିଲେ। ଏହା ସହିତ ଚଳିତ ବିଶ୍ଵକପରେ ଏହା ତାଙ୍କର ପଞ୍ଚମ ଶତକ ଏବଂ ଦିନିକିଆ କ୍ୟାରିୟରରେ ୨୭ ତମ ଶତକ। ଶତକ ହାସଲ କରିବା ମାତ୍ରେ ରୋହିତ ୧୦୩ ରନ କରି ରାଜିଥାଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ସେ ଲୋକେଶ ରାହୁଲଙ୍କ ସହ ୩୦.୧ ଓଭରରେ ପ୍ରଥମ ଓ୍ଵିକେଟ୍ ପାଇଁ ୧୮୯ ରନ ଯୋଡି ଭାରତର ବିଜୟ ସୁନିଶ୍ଚିତ କରିଥିଲେ। 

ଏହା ପରେ ଲୋକେଶ ରାହୁଲ ବିଶ୍ଵ କପରେ ନିଜର ପ୍ରଥମ ଶତକ ହାସଲ କରିଥିଲେ। ଦିନିକିଆ ଏହା ତାଙ୍କର ଦ୍ଵିତୀୟ ଶତକ ଥିଲା। ରାହୁଲ ଓ କୋହଲି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୫ ରନ ଯୋଡି ଦଳର ସ୍କୋରକୁ ୨୪୪ ରନରେ ପହଞ୍ଚାଇଥିଲେ। ମାତ୍ର ଏହି ସ୍କୋରରେ ରାହୁଲ ମାଲିଙ୍ଗାଙ୍କ ବଲରେ ଆଉଟ୍ ହୋଇ ବିଦାୟ ନେଇଥିଲେ। ସେ ୧୧୮ ବଲରୁ ୧୧ ଚୌକା ଓ ୧ ଛକ ବଳରେ ୧୧୧ ରନ କରିଥିଲେ। ଏହା ପରେ ଋଷଭ ପନ୍ତ ୪ ରନ କରି ପାଭିଲିୟନ ଫେରିଥିଲେ।

ଏହା ପରେ ଅଧିନାୟକ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା ଔପଚାରିକ ପୂରଣ କରିଥିଲେ। ଭାରତ ୪୩.୩ ଓଭରରେ ୭ ଓ୍ଵିକେଟ୍ ହରାଇ ୨୬୫ ରନର ବିଜୟ ଲକ୍ଷ୍ୟ ହାସଲ କରି ମ୍ୟାଚକୁ ୭ ଓ୍ଵିକେଟରେ ଜିତି ନେଇଛି। କୋହଲି ୩୪ ରନ ଓ ପାଣ୍ଡ୍ୟା ୬ ରନ କରି ଅପରାଜିତ ଥିଲେ। ପୂରା ମ୍ୟାଚରେ ଶ୍ରୀଲଙ୍କା ଉପରେ ଭାରତର ପଲ୍ଲା ଭାରି ରହିଥିଲା। ଏହି ମ୍ୟାଚରେ ଶ୍ରୀଲଙ୍କାର ବୋଲର ପ୍ରଭାବହୀନ ରହିଥିଲେ। ଶ୍ରୀଲଙ୍କା ପକ୍ଷରୁ ଲସିଥ ମାଲିଙ୍ଗା, ଇସୁରୁ ଉଦାନା ଓ କସୁନ ରଜିଥା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।