ଭାରତର ଦୀପାବଳି ମିଠେଇ ଗ୍ରହଣ କଲା ନାହିଁ ପାକିସ୍ତାନ!

ନୂଆଦିଲ୍ଲୀ: ଦୀପାବଳି ପୂର୍ବରୁ ଭାରତ ଓ ପାକିସ୍ତାନ ସୀମାରେ ଉତ୍ତେଜନା ଦେଖାଯାଇଛି । ପାକିସ୍ତାନ ତରଫରୁ ଅସ୍ତ୍ରବିରତି ଉଲଂଘନ କରାଯାଇଛି । ଜବାବରେ ଭାରତୀୟ ସେନା ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛି । ପ୍ରତି ବର୍ଷ ଭଳି ସୀମାରେ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ ମିଠେଇ ଅଦଳ ବଦଳ ହୋଇଥାଏ କିନ୍ତୁ ଏଥର ହୋଇ ପାରି ନାହିଁ । ତିନି ଦିନ ପରେ ଦୀପାବଳି ପାଳନ ହେଉଥିବା ବେଳେ ଏହା ପୂର୍ବରୁ ସୀମାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମିଠେଇ ଅଦଳ ବଦଳ କରାଯାଇଥାଏ, ଯାହାକି ଚଳିତ ଥର ହୋଇପାରି ନାହିଁ । 

ସୂତ୍ର ଅନୁସାରେ ପ୍ରୋଟୋକଲ ହିସାବରେ ପ୍ରତି ବର୍ଷ ଅହମଦାବାଦସ୍ଥିତ ଭାରତୀୟ ଉଚ୍ଚାୟୋଗ ଦୀପାବଳିରେ ସମସ୍ତ ମୁଖ୍ୟ କାର୍ଯ୍ୟାଳୟକୁ ମିଠେଇ ପଠାଇଥାଏ । ପାକିସ୍ତାନର ଆଇଏସଆଇ ପ୍ରଥମେ ପ୍ରୋଟୋକଲକୁ ସ୍ୱାଗତ କରିବାକୁ ଯାଇ ମିଠେଇ ଗ୍ରହଣ କରିଥିଲେ କିନ୍ତୁ ପରେ ଫେରାଇ ଦେଇଛି । ସୂଚନାଯୋଗ୍ୟ ଆଇଏସଆଇ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଅଟେ ଏବଂ ପାକିସ୍ତାନର କ୍ଷମତା-ରଣନୀତିରେ ଏହାର ପ୍ରଭାବ ରହିଛି । 

କେବଳ ଇସଲାମାବାଦ ନୁହେଁ ବରଂ ପାକିସ୍ତାନୀ ରେଞ୍ଜର୍ସ ମଧ୍ୟ ଏଥର ଭାରତ ଦ୍ୱାରା ଦିଆଯାଇଥିବା ମିଠେଇକୁ ସ୍ୱୀକାର କରି ନାହାନ୍ତି । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ଉଭୟ ଦେଶର ଅବସ୍ଥା ଠିକ ନାହିଁ କହିଲେ ଚଳିବ । ପାକିସ୍ତାନ କ୍ରମାଗତ ଭାବେ ଭାରତ ବିରୋଧରେ ଉତ୍ତେଜିତ ବୟାନ ଦେଉଛି । ଭାରତ ବିରୋଧୀ କାମ କରୁଛି ।