ଆସ୍ଥାଭୋଟ ଜିତିଲେ ଉଦ୍ଧବ ଠାକରେ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାରେ ଆଜି ଉଦ୍ଧବ ଠାକରେ ନେତୃତ୍ୱାଧୀନ ଶିବସେନା-ଏନସିପି-କଂଗ୍ରେସ ସରକାର ଆସ୍ଥାଭୋଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସରକାର ସପକ୍ଷରେ ୧୬୯ ଟି ଭୋଟ ପଡିଥିବା ବେଳେ ସମୁଦାୟ ବିପକ୍ଷ ଅର୍ଥାତ ବିଜେପି ଅନୁପସ୍ଥିତ ଥିଲା । କାରଣ ଆସ୍ଥାଭୋଟ ପୂର୍ବରୁ ବିଜେପି କକ୍ଷତ୍ୟାଗ କରିଥିଲା ।

ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ଅଭିଯୋଗ କରିଛନ୍ତି ଯେ ବିଧାନସଭାରେ ସରକାର ପ୍ରଚଳିତ ଆଇନର ଉଲ୍ଲଙ୍ଘନ କରିଛନ୍ତି । ସେ କହିଛନ୍ତି ୨ ଜଣ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଅବୈଧ । ଅନ୍ୟପକ୍ଷରେ ଅସ୍ଥାୟୀ ବାଚସ୍ପତି ( ପ୍ରୋ ଟମ ସ୍ପିକର) ସାଧାରଣତଃ ନବନିର୍ବାଚିତ ବିଧାୟକମାନଙ୍କୁ ଶପଥ ପାଠ କରିବା ପରେ ନୂଆ ବାଚସ୍ପତି ନିର୍ବାଚନ ହୁଏ । ନୂଆ ବାଚସ୍ପତି ହିଁ ଆସ୍ଥା ଭୋଟ କରାଇବା ନିୟମ ରହିଛି । ଏଣୁ ଜଣେ ପ୍ରୋ ଟମ ସ୍ପିକର ଆଜିର ଆସ୍ଥା ଭୋଟ ପରିଚାଳନା କରିବା ଅଣସମ୍ବିଧାନିକ । ଏଣୁ ଏହି ବିଧାନସଭା ଅଧିବେଶନ ବୈଧ ନୁହେଁ । ଏହା ବିରୁଦ୍ଧରେ ରାଜ୍ୟପାଳଙ୍କୁ ଭେଟି ଅଭିଯୋଗ କରିବ ବୋଲି ବିଜେପି ଘୋଷଣା କରିଛି ।