ମେ’ ୨୩ ଭୋଟ ଗଣତି ଦିନ ଦେଶରେ ଘଟିପାରେ ଆତଙ୍କବାଦୀ ହାମ୍‌ଲା

ନୂଆଦିଲ୍ଲୀ: ଆସନ୍ତା ମେ’ ୨୩ ଅର୍ଥାତ୍‌ ୨୦୧୯ ଲୋକସଭା ନିର୍ବାଚନର ଭୋଟ ଗଣତି ଦିନ ଆତଙ୍କବାଦୀମାନେ ଜମ୍ମୁ- କଶ୍ମୀରରେ ଏକ ଆତଙ୍କବାଦୀ ହାମ୍‌ଲା ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା ନେଇ ଭାରତୀୟ ଗୁଇନ୍ଦା ଏଜେନ୍ସି ସତର୍କ ସୂଚନା ଜାରି କରିଛି। ରମଜାନ ମାସର ୧୭ ଦିନ, ଅର୍ଥାତ୍‌ ମେ’ ୨୩ ତାରିଖ ଦିନ ଜମ୍ମୁ- କଶ୍ମୀରର ଶ୍ରୀନଗର ଓ ଅଓ୍ଵନ୍ତିପୋରାରେ ଥିବା ଭାରତୀୟ ବାୟୁସେନାର ଏୟାର ବେସ୍‌ ଉପରେ ହାମ୍‌ଲା କରିବା ପାଇଁ ଆତଙ୍କବାଦୀଗୋଷ୍ଠୀ ଯୋଜନା ପ୍ରସ୍ତୁତ କରିଥିବା ନେଇ ଭାରତୀୟ ଗୁଇନ୍ଦା ଏଜେନ୍ସି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେଇଥିବା, ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ସୂତ୍ରରୁ ହସ୍ତଗତ ଏକ ଖବର ଆଧାରରେ କହିଛି ଜାତୀୟ ସ୍ତରର ସମ୍ବାଦପତ୍ର ‘ଦି ନିୟୁ ଇଣ୍ଡିଆନ୍‌ ଏକ୍ସପ୍ରେସ୍‌’।

ଭାରତୀୟ ଗୁଇନ୍ଦା ଏଜେନ୍ସି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଦିଆ ଯାଇଥିବା ରିପୋର୍ଟରେ କୁହା ଯାଇଛି ଯେ ଐତିହାସିକ ଦୃଷ୍ଟକୋଣରୁ ରମଜାନର ୧୭ ଦିନ ହେଉଛି ମୁସଲମାନମାନଙ୍କ ପାଇଁ ଇସଲାମ୍‌ ଧର୍ମ ଦୃଷ୍ଟିରୁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ। ଏହି ଦିନକୁ ସେମାନେ ଯୁଦ୍ଧ ଦିବସ ବା ‘ଜଙ୍ଗ୍‌-ଇ- ବାଦର’ ଭାବେ ପାଳନ କରିଥାନ୍ତି। ତେଣୁ, ଏହି ଦିନକୁ ସେମାନେ ଭାରତ ଉପରେ ଆତଙ୍କବାଦୀ ହାମ୍‌ଲା ପାଇଁ ଚୟନ କରିଥିବା, ଗୁଇନ୍ଦା ଏଜେନ୍ସି ତା’ ରିପୋର୍ଟରେ କହିଛି।ଏଥିସହ ପାକିସ୍ତାନର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ- ମହମ୍ମଦ (ଜେଇଏମ୍‌)ର ମୁଖିଆକୁ ମାସୁଦ୍‌ ଆଝାରକୁ ପୁଲଓ୍ଵାମା ଆକ୍ରମଣରେ ଦୋଷୀ ଦର୍ଶାଇ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱ ଆତଙ୍କବାଦୀ ଭାବେ ଘୋଷଣା କରିଥିବାରୁ ପ୍ରତିଶୋଧ ପରାୟଣ ହୋଇ ଜୈସ୍‌ ଭାରତ ଉପରେ ଆଉ ଏକ ଆତଙ୍କବାଦୀ ହାମ୍‌ଲା ପାଇଁ ପ୍ରସ୍ତୁତ ହେଉଛି ବୋଲି ମଧ୍ୟ ଏହି ରିପୋର୍ଟରେ ଭାରତ ସରକାରଙ୍କୁ କହିଛି ଗୁଇନ୍ଦା ଏଜେନ୍ସି।