ତୋଷାଳି ଭବନ ସମ୍ମୁଖରେ ଥିବା ଓମଫେଡ ପାର୍ଲରକୁ ଆସିଥିଲେ ୧୦୪କୁ କଲ କରନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ସତ୍ୟନଗରରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ନେଇ ଏକ ବଡ଼ ସୂଚନା ଦେଇଛି ବିଏମସି । ସତ୍ୟନଗରରୁ ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସତ୍ୟନଗରର ତୋଷାଳି ଭବନ ସମ୍ମୁଖରେ ଥିବା ଓମଫେଡ ପାର୍ଲରକୁ ଯାଉଥିଲେ ବୋଲି ସୂଚନା ଦେଇଛନ୍ତି ବିଏମସି । ଏହି ନିର୍ଦ୍ଦିଷ୍ଟ ପାର୍ଲରକୁ ସେ ବାରମ୍ବାର ଯାଉଥିବା ସୂଚନା ମିଳିଛି ।

ଏଥିସହ ସତ୍ୟନଗରର ସାଧାରଣ ବାସିନ୍ଦାଙ୍କୁ ବିଏମସି ପକ୍ଷରୁ କୁହାଯାଇଛି କି ଯଦି ସେମାନେ ଗତ ୧୪ ଦିନ ମଧ୍ୟରେ ଉକ୍ତ ସ୍ଥାନକୁ ଯାଇଥାଆନ୍ତି ତେବେ ହୋମ୍ କ୍ୱାରେନଂଟାଇନ୍ ରେ ରହନ୍ତୁ। ଯଦି କରୋନାର ଲକ୍ଷଣ ଦେଖିବାକୁ ପାଆନ୍ତି ତେବେ ସଙ୍ଗେ ସଙ୍ଗେ ୧୦୪କୁ କଲ୍ କରନ୍ତୁ। ଏଥିସହ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅଧିକ ସୂଚନା ଲାଗି ଜନସାଧାରଣଙ୍କ ସହଯୋଗ କାମନା କରିଛି।

ଆଜି ଭୁବନେଶ୍ୱର ମହାନଗର ନିଗମର କମିସନର ପ୍ରେମଚନ୍ଦ୍ର ଚୌଧୁରୀ ଏକ ସାମ୍ବାଦିକ ସମ୍ମିଳନୀ କରି ଭୁବ‌‌ନେଶ୍ୱରର ସହରର କେଉଁ ଅଂଚଳରେ କେତେଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ତାହାର ସୂଚନା ଦେଇଛନ୍ତି। ତାଙ୍କ ତଥ୍ୟ ଅନୁସାରେ, ସହିଦନଗରରେ ଜଣେ କରେନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୟୁନିଟ-୪ ଓ ୟୁନିଟ-୫ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୂର୍ଯ୍ୟନଗରରେ ୮ ଜଣ, କପିଳପ୍ରସାଦରେ ଜଣେ, ବମିଖାଲରୁ ୧୪ ଜଣ, ଝାରପଡ଼ାରୁ ଆଉ ଜଣେ ବ୍ୟକ୍ତି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜିମଖାନା ପାମ ହାଇଟ୍ସରୁ , ବିଜେବି ନଗର ଗଧିଆଖାଲ ଓ ଭରତପୁର ଅଂଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।