ସାହିତ୍ୟ ଅକାଦେମିର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ପୁରସ୍କାର ସହିତ ଘୋଷଣା ହେବ ଚୂଡ଼ାନ୍ତ ପର୍ଯ୍ୟାୟର ବହି ତାଲିକା

ଭୁବନେଶ୍ୱର: ଏଣିକି କେନ୍ଦ୍ର ସାହିତ୍ୟ ଅକାଦେମିର ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ଘୋଷଣା କରାଯିବ । ବିଳମ୍ବରେ ହସ୍ତଗତ ହୋଇଥିବା ଅକାଦେମି ସଚିବ କେ.ଶ୍ରୀନିବାସନ୍‍ଙ୍କର ଏକ ଚିଠିରୁ ଏହା ଜାଣିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ ସାହିତ୍ୟ ଅକାଦେମି ପ୍ରତିବର୍ଷ ଦେଶର ୨୪ଟି ସ୍ୱୀକୃତ ଭାଷାରେ ଚାରିଟି ପୁରସ୍କାର ପ୍ରଦାନ କରିଥାଏ । ସେହି ପୁରସ୍କାରଗୁଡ଼ିକ ହେଉଛି ୧) ସାହିତ୍ୟ ଅକାଦେମି ପୁରସ୍କାର, ୨) ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର, ୩)ସାହିତ୍ୟ ଅକାଦେମି ଯୁବ ପୁରସ୍କାର ଏବଂ ୪)ସାହିତ୍ୟ ଅକାଦେମି ବାଲ୍‍ ସାହିତ୍ୟ ପୁରସ୍କାର । ପ୍ରତିଟି ପୁରସ୍କାର ଘୋଷଣା ସହିତ ଚୂଡ଼ାନ୍ତ ପର୍ଯ୍ୟାୟର ତିନିଜଣିଆ ବିଚାରକମଣ୍ଡଳୀଙ୍କ ନାମ ଏବଂ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ତାଲିକା ଘୋଷଣା କରାଯିବା ପାଇଁ ଏହିସବୁ ପୁରସ୍କାରର ନିୟମରେ ସ୍ପଷ୍ଟ ଉଲ୍ଲେଖ ରହିଛି । କିନ୍ତୁ ଅକାଦେମି ପକ୍ଷରୁ ପୁରସ୍କାର ଘୋଷଣା ସହିତ ତିନିଜଣିଆ ବିଚାରକଙ୍କ ନାମ ଘୋଷଣା କରାଯାଉଥିଲେ ମଧ୍ୟ ଏଯାବତ୍  ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ନାମ ଘୋଷଣା କରାଯାଉ ନଥିଲା ।