୨୪ ଘଣ୍ଟାରେ ୮ଟି ଜିଲ୍ଲାରେ ବର୍ଷା ବିତ୍ପାତ !

ଭୁବନେଶ୍ୱର : ସମଗ୍ର ରାଜ୍ୟରେ ବର୍ଷା ବିତ୍ପାତ ଆହୁରି ୨୪ଘଣ୍ଟା ଧରି ଲାଗି ରହିବ । ୧୪ଟି ଜିଲ୍ଲା ଓ ୧୬ ତାରିଖରେ ୧୨ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୮ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛନ୍ତି ରାଜ୍ୟ ସରକାର । ଏହି ସବୁ ଜିଲ୍ଲା ଘଡ଼ଘଡ଼ି ସହ ବର୍ଷା ଓ ପବନରେ ବେହାଲ୍ ହୋଇପାରେ ବୋଲି ସତର୍କ କରାଯାଇଛି । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗତକାଲିଠାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଲଗାଣ ବର୍ଷା ନାହିଁ ନଥିବା ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ବର୍ଷାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଓ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସକାଳ ସୁଦ୍ଧା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କଟକ, ଢେଙ୍କାନାଳ, କନ୍ଧମାଳ, ଜଗତସିଂହପୁର, ଗଜପତି, ସମ୍ବଲପୁର, ବୌଦ୍ଧ, କେନ୍ଦ୍ରାପଡ଼ା, ଅନୁଗୁଳ ଓ କଳାହାଣ୍ଡି ପ୍ରଭୃତି ୧୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ଆସନ୍ତା ୨୪ ଘଣ୍ଟ  ମଧ୍ୟରେ ଅର୍ଥାତ୍ ୧୬ ତାରିଖ ସକାଳ ସୁଦ୍ଧା ପୁରୀ, ନୟାଗଡ଼, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର ବୌଦ୍ଧ, କଟକ ଓ ଜଗତସିଂହପୁର।  ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ସୂଚନା ।

ବର୍ଷାଜନିତ ସମ୍ଭାବ୍ୟ ସ୍ଥିତିକୁ ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ସମୀକ୍ଷା କରିଛନ୍ତି । ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି । ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳମାନଙ୍କୁ ପରାମଶ ଦେଇଛନ୍ତି ।