ଥାନାରେ ଯୁବକଙ୍କୁ ମାଡ ମାରିବା ଘଟଣା: ନିଲମ୍ବିତ ହେଲେ ଆଇଆଇସି

ଭୁବନେଶ୍ୱର: ପୁଲିସ ଅଧିକାରୀଙ୍କୁ ମହଙ୍ଗା ପଡିଲା ମାଡ । ଥାନାରେ ଆଇଆଇସିଙ୍କ ଥାର୍ଡ ଡିଗ୍ରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପୁଲିସ ମହାନିର୍ଦେଶକ ଅଭୟ କୁମାର । ସଂପୃକ୍ତ କେନ୍ଦୁଝର ଜିଲ୍ଲା ପାଟଣା ଥାନାର ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କରାଯାଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୁଲିସ ଡିଜି । ଥାନା ଭିତରେ ଯୁବକଙ୍କୁ ଠେଙ୍ଗାରେ ପଟିବା ସହ ଗୋଇଠା ମାରି କ୍ଷମତାର ଅପବ୍ୟବହାର କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି ।

ଆଇଆଇସି ସଂଧ୍ୟାରାଣୀ ଯୁବକଙ୍କୁ ନିସ୍ତୁକ ପିଟିବା ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଘଟଣାକୁ ଗୁରୁତର ସହ ନେଇ ଜବାବ ମାଗିଥିଲେ ରାଜ୍ୟ ମାନବାଧିକାର କମିଶନ । କେନ୍ଦୁଝର ଏସପିଙ୍କୁ ଜବାବ ମାଗିବା ସହ ମାଡ ଖାଇଥିବା ଯୁବକଙ୍କୁ କ୍ଷତିପୂରଣ ଦେବା ପାଇଁ କହିଥିଲେ । କ୍ଷତି ପୂରଣ ବାବଦକୁ ଆଇଆଇସି ସଂଧ୍ୟାରାଣୀଙ୍କ ଦରମାରୁ ୧୦ ହଜାର ଟଙ୍କା କାଟି ସଂପୃକ୍ତ ଯୁବକଙ୍କୁ ଦେବାକୁ କହିଥିଲେ ରାଜ୍ୟ ମାନବାଧିକାର କମିଶନ ।