ସ୍ୱାଧିନତା ଦିବସ ଅବସରରେ କୃଷକଙ୍କୁ ଉପହାର ଦେଲା ଇଫକୋ

ନୂଆଦିଲ୍ଲୀ:ସ୍ୱାଧିନତା ଦିବସ ଅବସରରେ ସରକାରୀ କମ୍ପାନୀ ଇଫକୋ କୃଷକଙ୍କୁ ଏକ ବଡ ଉପହାର ଦେଇଛି । ସାର ଉତ୍ପାଦନ କରୁଥିବା ଏହି ସରକାରୀ କମ୍ପାନୀ ସାରର ଦର ହ୍ରାସ କରିବାକୁ ଘୋଷଣା କରିଛି । ଏବେ ଚାଷୀମାନଙ୍କୁ ପ୍ରତି ବସ୍ତା ପିଚ୍ଛା 50 ଟଙ୍କା କମ ଦେବାକୁ ପଡିବ । ଇଫକୋ ଯେଉଁ ସବୁ ସାରର ଦର ହ୍ରାସ କରିବା ନେଇ ଘୋଷଣା କରିଛି ସେଥିରେ ଡିଏପି ଏବଂ ଏନପିକେ ପ୍ରମୁଖ ଅଟେ । ବୁଣିବା ସମୟରେ ଏହି ସାର ଗୁଡିକୁ କୃଷକମାନେ ସବୁଠାରୁ ଅଧିକ ବ୍ୟବହାର କରିଥାନ୍ତି । 

ଡିଏସପିର ପୁରା ନାଁ ଡାଇଓମୋନିୟ ଫସ୍ଫେଟ । ଏହି ସାରରେ ଫାସ୍ଫୋରସ ମାତ୍ରା ଅଧାରୁ ଅଧିକ ରହିଥାଏ । ଏହାର କିଛି ଅଂଶ ପାଣିରେ ମିଶୁଥିବା ବେଳେ ଅନ୍ୟ କିଛି ଅଂଶ ମାଟିରେ ମିଶିଥାଏ । ଏହା ମାଟିର ଶକ୍ତିକୁ ଅଧିକ କରିଥାଏ, ଯାହା ଫଳରେ ଚେର ବ୍ୟାପିବା ଏବଂ ଫସଲରେ ଫଳ ଆଶିବା ଶୀଘ୍ର ହୋଇଥାଏ । ସେହିପରି ଏନପିକେରେ ନାଇଟ୍ରୋଜେନ ଫସ୍ଫୋରସ ଏବଂ ପୋଟାସିୟମ ମିଶିଥାଏ । ଏହି ସାର ସାହଯ୍ୟରେ ଗଛ ଏବଂ ଫଳକୁ ଶକ୍ତ କରାଯାଇଥାଏ । ଏହି ସାରକୁ ବ୍ୟବହାର କରିବା ଦ୍ୱାରା ଫଳ ଝଡାର ସମସ୍ୟା ଦେଖା ଦେଇ ନଥାଏ ।