ଭୁବନେଶ୍ଵର : ଧୋକା ଦେଲା ମୌସୁମୀ। ଫଳରେ ରାଜ୍ୟରେ ମରୁଡିର ପଦଧ୍ଵନୀ ଶୁଣିବାକୁ ମିଳିଲାଣି। ଯେଉଁ ସମୟରେ ତଳି ପକାଇବା ଏବଂ ବେଉଷଣ ପାଇଁ ଫୁରସତ ମିଳେ ନାହିଁ ସେଠାରେ ବର୍ଷା ଅଭାବରୁ ଏବେ ଚାଷୀଙ୍କୁ ହାତ ବାନ୍ଧି ବସିବାକୁ ପଡ଼ିଛି। ଜମି ଫାଟି ଆଁ କଲାଣି। ଦୁଇ ଦିନରେ ବର୍ଷା ନହେଲେ ସ୍ଥିତି ଗମ୍ଭୀର ହେବାକୁ ଯାଉଛି। ଏବେ ବର୍ଷା ଅଭାବ ଜନିତ ଚାଷ ନେଇ ବିଧାନସଭାରେ ମନ୍ତ୍ରୀ ବିବୃତି ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି।
ରାଜସ୍ଵ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ଯେ, ରାଜ୍ୟରେ କେବଳ ୫ଟି ଜିଲ୍ଲାରେ ସ୍ଵାଭାବିକ ବର୍ଷା ହୋଇଥିବା ବେଳେ ୨୫ଟି ଜିଲ୍ଲାରେ କମ ବର୍ଷା ହୋଇଛି। ୩୧୪ ବ୍ଲକରୁ ୨୩୫ ବ୍ଲକରେ ସ୍ଵାଭାବିକଠୁ କମ ବର୍ଷା ହୋଇଛି। ମାତ୍ର ୭୯ଟି ବ୍ଲକରେ ସ୍ଵାଭାବିକ ବର୍ଷା ହୋଇଛି। ୨୧ଟି ବ୍ଲକରେ ସ୍ଵାଭାବିକଠାର ୫୯ ପ୍ରତିଶତ କମ୍ ବର୍ଷା ହୋଇଛି। ଫଳରେ ରାଜ୍ୟରେ ସ୍ଥିତି ସଙ୍ଗୀନ ହେବାକୁ ଯାଉଛି। ଦୁଇ ଦିନ ମଧ୍ୟରେ ବର୍ଷା ନହେଲେ ସ୍ଥିତି ଗମ୍ଭୀର ହେବ ବୋଲି ମନ୍ତ୍ରୀ କହିଛନ୍ତି।
ଲଘୁଚାପ ହୋଇଥିବାରୁ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟ ପଟେ ମୌସୁମିଜନିତ ବର୍ଷା ଅଭାବରୁ ନଦୀ, ନାଳ, ବ୍ୟାରେଜରେ ଜଳ ପ୍ରବାହ ଆଶାନୁରୂପ ହୋଇନି। ଆଷାଢ ଯାଇ ଶ୍ରାବଣ ହେଲା ନଦୀ ଶୁଖିଲା ପଡ଼ିଛି। ଚାଷୀ ଚିନ୍ତାରେ ବସିଛି। ରାଜ୍ୟର କିଛି ଅଞ୍ଚଳରେ ଚାଷୀ ଆତ୍ମହତ୍ୟା ଖବର ମଧ୍ୟ ପହଞ୍ଚିଛି।
ଧାନ ରୁଆ ପରେ ତଳିକୁ ଯେତିକି ପରିମାଣର ବର୍ଷା ଆବଶ୍ୟକତ ସେତିକି ବି ବର୍ଷା ହୋଇ ନାହିଁ। ଜମିରେ ଧାନ ମଞ୍ଜି ମରିବାକୁ ବସିଛି। ଯଦି ଏହି କିଛି ଦିନ ମଧ୍ୟରେ ବର୍ଷା ନହୁଏ ତେବେ ଧାନ ଗଜା ମରିବାର ଆଶଙ୍କା ଅଧିକ ରହିଛି। ଯାହା ଚାଷୀ କୂଳକୁ ଶକ୍ତ ଧକା ସଦୃଶ ହୋଇଛି।