ଗୁଟକା ଖାଇ ସର୍ବସାଧାରଣରେ ଛେପ ପକାଇବା ଉପରେ ବାରଣ କଲା ଆଇସିଏମଆର

ନୂଆଦିଲ୍ଲୀ: କରୋନାକୁ ନେଇ ବିଶ୍ୱବ୍ୟାପି ସଚେତନତା ଜାରି ଥିବାବେଳେ ଗୁଟକା ଖାଇ ସର୍ବସାଧାରଣରେ ଛେପ ପକାଇବା ଉପରେ ବାରଣ କରିଛି ଦିଲ୍ଲୀଠାରେ ଥିବା ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ(ଆଇସିଏମଆର) ।

ଏହି ସ୍ୱାସ୍ଥ୍ୟ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଗୁଟ୍‌ଖା, ପାନ ମସାଲା, ସୁପାରି ପରି ନିଶା ଦ୍ରବ୍ୟ ପାଟିରେ ପୂରାଇ ଚୋବାଇବା ଦ୍ୱାରା ପାଟିରୁ ଲାଳ ବାହାରିଥାଏ। ସେହି ଛେପକୁ ଆମେ ବାହାରେ ପକାଇବାରୁ ଭାଇରସ୍‌ ବ୍ୟାପିବାର ସମ୍ଭାବନା ରହିଛି। ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଦ୍ୱାରା ଭାଇରସ୍‌ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆସିଏମ୍‌ଆର୍‌ ପକ୍ଷରୁ କୁହାଯାଇଛି।

କୋଭିଡ୍‌-୧୯ ପରି ଏକ ମହାମାରୀର କରାଳ ରୂପ ଦେଖିବା ପରେ ସ୍ୱାସ୍ଥ୍ୟ ସଂସ୍ଥା ପକ୍ଷରୁ ଏପରି ଘୋଷଣା କରାଯାଇଛି। ପୂର୍ବରୁ ମଧ୍ୟ ଏହାକୁ ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ଉପାୟ ଅବଲମ୍ବନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଦେଶରେ ଏବେ ସୁଦ୍ଧା ସମୁଦାୟ  ୩ ହଜାର ୭୦ ଜଣ ଲୋକ ଏହି ଭାଇରସ୍‌ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟ ୭୫ ଛୁଇଁଲାଣି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।