ଆଉ ୧୨୧ଟି ସରକାରୀ ଲ୍ୟାବରେ ପରୀକ୍ଷା ହେବ କୋଭିଡ-୧୯

ନୂଆଦିଲ୍ଲୀ: ମହାମାରୀ କୋରୋନା ଭାଇରସ୍ ର ପରୀକ୍ଷା ପାଇଁ ଇଣ୍ଡିଆନ୍ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ଆଉ ୧୨୧ଟି ସରକାରୀ ଲାବୋରେଟୋରୀକୁ ଅନୁମୋଦନ ଦେଇଛି । ଫଳରେ ମୋଟ ୧୫୭ଟି ଲ୍ୟାବରେ ଏଥର ହେବ କୋରୋନା ପରୀକ୍ଷା ।

ଏଥିସହ ଭାରତରେ ବର୍ତମାନ ସୁଦ୍ଧା ପରୀକ୍ଷା ପାଇଁ ୩୫ଟି ଘରୋଇ ଲ୍ୟାବ ରହିଛି ବୋଲି ଆଇସିଏମ୍ଆର୍ ନିଜ ୱେବସାଇଟରେ ଘୋଷଣା କରିଛି। ୩୫ଟି ଘରୋଇ ଲ୍ୟାବ ଆନ୍ଧ୍ରପ୍ରଦେଶ, ଆସାମ, ବିହାର, ଚଣ୍ଡିଗଡ଼, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ଜାମ୍ମୁ କଶ୍ମୀର ଏବଂ ଝାଡଖଣ୍ଡରେ ରହିଥିବା ଜଣାପଡିଛି ।

ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ଏବେ ଲାବୋରେଟୋରୀ ସଂଖ୍ୟାକୁ ବୃଦ୍ଧି କରାଯାଉଛି । ଯାହାଦ୍ୱାରା କମ ସମୟ ମଧ୍ୟରେ କରୋନା ରୋଗୀଙ୍କୁ ଚିହ୍ନଟ କରିହେବ । ଆଇସିଏମଆର ମାନଦଣ୍ଡ ଅନୁଯାୟୀ, ଜ୍ୱର, ଗଳା ଯନ୍ତ୍ରଣା, ନାକ ବହିବା, ଡିସପ୍ନୋଆ ଇତ୍ୟାଦି ଲକ୍ଷଣ ଦେଖାଗଲେ ସେମାଙ୍କର ପରୀକ୍ଷା କରାଯିବ ସହ ଯେଉଁମାନେ ଚାଇନା, ହଂକଂ, ଜାପାନ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଇରାନ, ଇଟାଲୀ ଇତ୍ୟାଦି ପ୍ରଭାବିତ ଦେଶରୁ ଫେରିଥିବେ, ସେମାଙ୍କର ପରୀକ୍ଷା ଲାବୋରେଟୋରୀରେ କରାଯିବ । ପରୀକ୍ଷଣ ସମୟରେ ଘରୋଇ ଲ୍ୟାବଗୁଡ଼ିକୁ ଆଇସିଏମଆରର ନିୟମ ଅନୁସରଣ କରିବାକୁ ପଡିବ ।