ଆବିଏମର ‘କଲ୍‌ ଫର୍ କୋଡ୍’ରେ ବିପର୍ଯ୍ୟୟ ପରିଚାଳନାର ମନ୍ତ୍ର ଦେଲେ ଏସ୍ଆରସି

ଭୁବନେଶ୍ବର- ଅନ୍ତର୍ଜାତୀୟ କମ୍ପାନୀ ଆଇବିଏମ୍ ଆୟୋଜନ କରିଥିବା ‘କଲ୍‌ ଫର୍ କୋଡ୍’ ସମ୍ମିଳନୀରେ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଯୋଗ ଦେଇ ଫନୀ ମହାବାତ୍ୟା ମୁକାବିଲା ନେଇ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି । ଏହି ସମ୍ମିଳନୀ ଭୁବନେଶ୍ବର ଜାଭିଅର୍‌ ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟରେ ଆୟୋଜିତ ହୋଇ ଯାଇଛି । ଫନୀ ବାତ୍ୟା ମୁକାବିଲା ପରିଚାଳନାରେ ସଫଳତା ନେଇ ଜାତିସଂଘଠାରୁ ଆରମ୍ଭ କରି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସଂଗଠନ ଏସ୍‌ଆରସିକୁ ପ୍ରଶଂସା କରିଛନ୍ତି ।

ବାତ୍ୟା ‘ବାୟୁ’ ମୁକାବିଲା ପ୍ରସ୍ତୁତି ଲାଗି ନିକଟରେ ଓଡିଶା ମଡେଲକୁ ଗୁଜରାଟ ଗ୍ରହଣ କରିଥିଲା । ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ ଇଲାକାରୁ ଲକ୍ଷାଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପରିଚାଳନା ପ୍ରସଙ୍ଗରେ ଓଡିଶାର ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହ ମତ ବିନିମୟ ହୋଇଥିଲା । ବିଜ୍ଞାନ ଏବଂ କାରିଗରୀ କୌଶଳର ପ୍ରୟୋଗ କରି ବିଶ୍ବର ବିଭିନ୍ନ ସ୍ଥାନରେ କିଭଳି ପ୍ରାକୃତିକ ଦୁର୍ବିପାକର ପ୍ରଭାବ ହ୍ରାସ କରାଯାଇପାରିବ ତାର ସମାଧାନ ବାଟ ବାହାର କରିବା ‘କଲ୍‌ ଫର୍ କୋଡ୍’ ଅଭିଯାନର ମୂଳ ଲକ୍ଷ୍ୟ । ବିଶ୍ବର ବିଭିନ୍ନ ଉଦ୍ୟୋଗୀ, ଷ୍ଟାର୍ଟ ଅପ୍ ଏବଂ ବୁଦ୍ଧିଜୀବୀଙ୍କୁ ନିଜର ଅଭିଜ୍ଞତା ବାଣ୍ଟିବା ପାଇଁ ଏହି ଅଭିଯାନ ଏକ ମଞ୍ଚ ଯୋଗାଇଥାଏ । ଭୁବନେଶ୍ବରରେ ଆୟୋଜିତ ‘କଲ୍‌ ଫର୍ କୋଡ୍’ ସମ୍ମିଳନୀରେ ଯୋଗ ଦେଇଥିବାରୁ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀଙ୍କୁ ଆଇବିଏମ୍ ଧନ୍ୟବାଦ ଦେଇଛି ।