ଭୁବନେଶ୍ୱର: ଲାଂଚ ନେଇଥିବା ଅଭିଯୋଗରେ ଭିଜିଲାନ୍ସ ହାତରେ ଗିରଫ ହୋଇଥିବା ଆଇଏଏସ୍ ଅଧିକାରୀ ବିଜୟ କେତନ ଉପାଧ୍ୟାୟ ଆଜି ଜେଲରୁ ବାହାରିଛନ୍ତି । ଗତକାଲି ସର୍ତମୂଳକ ଜାମିନ ମିଳିବା ପରେ ଝାରପଡା ଜେଲରୁ ବାହାରିଛନ୍ତି ।
ଜେଲରୁ ବାହାରିବା ପରେ ବିଜୟ କେତନ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ନ୍ୟାୟାଳୟରେ ମାମଲା ବିଚାରାଧୀନ ରହିଛି। ଅଦାଲତ ଯାହା ନିଷ୍ପତି ନେବେ ଗ୍ରହଣ କରିବି ।
ସୂଚନାଯୋଗ୍ୟ ଲାଂଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିବା ପରେ ବିଜୟ କେତନ ଉପାଧ୍ୟାୟଙ୍କୁ ସରକାର ନିଲମ୍ବିତ କରିଥିଲେ। ବିଲ୍ ପାସ୍ କରିବା ପାଇଁ ୧ ଲକ୍ଷ ଟଙ୍କାର ଲାଂଚ ନେଉଥିବା ବେଳେ ସେ ଧରାପଡ଼ିଥିଲେ। ଏହା ପରେ ତାଙ୍କୁ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ଭୁବନେଶ୍ୱରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ତାଙ୍କୁ ବରିଷ୍ଠ ଅଧିକାରୀମାନେ ପଚରାଉଚରା କରିଥିଲେ। ଜଣେ ଆଇଏଏସ୍ ଅଧିକାରୀ ଏଭଳି ଭାବେ ଧରାପଡ଼ିବା ଘଟଣା ସରକାରୀ ଅଧିକାରୀ ମହଲରେ ଆଲୋଚନାର ବିଷୟବସ୍ତୁ ହୋଇଥିଲା।
ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁୁ ବିଭାଗର କାର୍ଯ୍ୟକାରୀତା ନେଇ ମତାମତ ସଂଗ୍ରହ ସମୟରେ ଉଦ୍ୟାନ ବିଭାଗରେ ବ୍ୟାପକ ଲାଂଚ କାରବାର ହେଉଥିବା ସୂଚନା ଆସିଥିଲା। ଏଥିସହ ନିର୍ଦ୍ଦେଶକ ଦୁର୍ନୀତିରେ ଜଡ଼ିତ ବୋଲି ଅଭିଯୋଗ ଆସିଥିଲା। ଏହାପରେ ଉପରୋକ୍ତ ସୂଚନାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଦୀର୍ଘ ୧୦ ଦିନ ହେବ ଭିଜିଲାନ୍ସ ପକ୍ଷରୁ କୃଷି ବିଭାଗ ଅଧିନସ୍ଥ ଉଦ୍ୟାନ ନିର୍ଦ୍ଦେଶାଳୟ ଉପରେ ସତର୍କ ଦୃଷ୍ଟି ରଖାଯାଇଥିଲା।