ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ରାଜ୍ୟ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ନୂଆଦିଲ୍ଲୀସ୍ଥିତ ପ୍ରମୁଖ ଆବାସିକ କମିଶନର ଭାବେ ବଦଳି କରାଯାଇଥିବା ବେଳେ ୧୯୯୩ ବ୍ୟାଚ୍ ଆଇଏଏସ୍ ଅଶୋକ କୁମାର ମୀନା ଅର୍ଥ ବିଭାଗର ନୂଆ ପ୍ରମୁଖ ସଚିବ ହେବେ । ପୂର୍ବରୁ ଶ୍ରୀ ମୀନା ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସହ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିଲେ । ସେହିପରି ୨୦୦୨ ବ୍ୟାଚ୍ ଆଇଏଏସ୍ ତଥା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏସ୍ ଏନ୍ ଗିରୀଶଙ୍କୁ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି । ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଦେବେନ୍ଦ୍ର କୁମାର ଜେନାଙ୍କୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଅର୍ଥ ସଚିବ ଶ୍ରୀ ପାଣ୍ଡେ ଗତ ମାସରେ ଡେପୁଟେସନ୍ରେ ଯିବା ପାଇଁ ସରକାରଙ୍କ ପାଖରେ ଆବେଦନ କରିଥିଲେ ।