ଭୁବନେଶ୍ୱର : ନୂତନ ଉନ୍ନୟନ କମିସନର ଭାବେ ବରିଷ୍ଠ ଆଇଏଏସ୍ ଅଧିକାରୀ ପ୍ରଦୀପ କୁମାର ଜେନା ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗରୁ ସେ ଏସଆରସି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭଳି ଦାୟିତ୍ୱ ତୁଲାଇ ସାରିଛନ୍ତି । ସୁରେଶ ମହାପାତ୍ର ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଅବସ୍ଥାପିତ ହେବା ପରେ ୧୯୮୯ ବ୍ୟାଚର ଆଇଏଏସ୍ ପ୍ରଦୀପ ଜେନା ନୂଆ ଉନ୍ନୟନ କମିସନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ୧୯୬୪ ମସିହାରେ ଜନ୍ମିତ ପ୍ରଦୀପ କୁମାର ଜେନା ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶିକ୍ଷଣ ପରେ ୧୯୯୧ ମସିହାରେ ପ୍ରଥମେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ପରେ ସେଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ପରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ତାଙ୍କୁ ବଦଳି କରାଯାଇଥିଲା । ୧୯୯୯ ମସିହାର ମହାବାତ୍ୟା ସମୟରେ ସେ କଟକ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ । ମହାବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ସୁଚାରୁରୂପେ ତୁଲାଇଥିବାରୁ ପ୍ରଦୀପ ଜେନା ରାଜ୍ୟ ଓ ଜାତୀୟ ସ୍ତରରେ ଉଚ୍ଚପ୍ରଶଂସିତ ହୋଇଥିଲେ । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଓ ଲୋକାଭିମୁଖୀ କାର୍ଯ୍ୟ କରିବାରେ ତାଙ୍କର ବହୁ ସୁନାମ ରହିଛି । କୃଷି ନିର୍ଦ୍ଦେଶକ ପଦରେ ଥାଇ ଚାଷୀମାନଙ୍କ ପାଇଁ ଅନେକ ସୁଦୂର ପ୍ରସାରୀ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ୨୦୧୭ ମସିହାରେ ପୁରୀ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା । ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିବା ପରେ ତାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସ୍ୱତନ୍ତ୍ର ରିଲିଫ୍ କମିସନର ଭାବେ ଦାୟିତ୍ୱ ଦିଆଯାଇଥିଲା । ଚଳିତ ବର୍ଷ କୋଭିଡ୍ ମହାମାରୀ ସମୟରେ ସାରା ରାଜ୍ୟ ସଂଗ୍ରାମ କରୁଥିବାବେଳେ ସ୍ୱତନ୍ତ୍ର ରିଲିଫ୍ କମିସନର ପଦରେ ରହି ପ୍ରଦୀପ କୁମାର ଜେନା ତାଙ୍କ ଦାୟୀତ୍ୱ ସଫଳତାର ସହ ତୁଳାଇଛନ୍ତି ।
IAS pradeep kumar take charge as development commissioner