କୋଣାର୍କ: ଆଜି ସକାଳେ ଚନ୍ଦ୍ରଭାଗାଠାରେ “ମୋ ବିଚ୍” ଅଭିଯାନ ହୋଇଥିଲା । ଏହି ଅଭିଯାନ ଜରିଆରେ ବେଳାଭୂମି ସଫେଇ କାର୍ଯ୍ୟ କରାଯାଇଥିଲା । ଏଥିରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିସନର୍ ସୁରେଶ ମହାପାତ୍ର, ପ୍ରମୁଖ ସଚିବ ରାଜେଶ ଠାକୁର, ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇ ସଫେଇ କାର୍ଯ୍ୟ କରିଥିଲେ ।
ଏହି ଅବସରରେ ଚନ୍ଦ୍ରଭାଗାଠାରୁ ଦରିଆ ମହାବୀର ଓ ଇକୋ ରିଟ୍ରିଟ୍ ଉତ୍ସବସ୍ଥଳ ପର୍ଯ୍ୟନ୍ତ ଅଂଚଳକୁ ସଫେଇ କରାଯାଇଥିଲା। ଚନ୍ଦ୍ରଭାଗାର ଉନ୍ନୟନ କାର୍ଯ୍ୟ ନିମନ୍ତେ ପ୍ରସ୍ତାବିତ ଯୋଜନାକୁ ବାସ୍ତବ ରୂପରେଖ ଦେବାକୁ ମୁଖ୍ୟ ଶାସନ ସଚିବଙ୍କ ସମେତ ନଗର ଉନ୍ନୟନ ବିଭାଗ ସଚିବ ଓ ବରିଷ୍ଠ ପଦାଧିକାରୀମାନେ ଚନ୍ଦ୍ରଭାଗାର ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ।
ସୂଚନାଯୋଗ୍ୟ, କୋଣାର୍କ-ପୁରୀ ବେଳାମାର୍ଗରେ ଜାରି ରହିଥିବା ଇକୋ ରିଟ୍ରିଟ୍ ଉତ୍ସବରେ ଗତକାଲି ରାତିରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଛନ୍ତି। ପ୍ରାୟ ୫୦ରୁ ଅଧିକ ଆଇଏଏସ୍ ଅଧିକାରୀ ଭୁବନେଶ୍ୱରରୁ ୨ଟି ବସ୍ରେ ଆସି ଶୁକ୍ରବାର ରାତିରୁ ଇକୋ ରିଟ୍ରିଟ୍ରେ ଅବସ୍ଥାନ କରୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଚନ୍ଦ୍ରଭାଗାର ବିକାଶ ପାଇଁ ଏକ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଚନ୍ଦ୍ରଭାଗାର ସୌନ୍ଦର୍ଯ୍ୟୀକରଣ ସହ ଏହି ବେଳାଭୂମିକୁ ଦେଶର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ପାଇଁ ବ୍ୟାପକ ଯୋଜନା ରହିଥିବା ଜଣାପଡ଼ିଛି। ଏକ ସ୍ବଚ୍ଛ , ନିର୍ମଳ ଓ ପ୍ରଦୂଷଣମୁକ୍ତ ବେଳାଭୂମି ଭାବେ ଚନ୍ଦ୍ରଭାଗା ବେଳାଭୂମି କିଛି ମାସ ମଧ୍ୟରେ ବିଶ୍ବର କୋଣ ଅନୁକୋଣର ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ସୂଚନା ମିଳିଛି। କୋଣାର୍କ ଏନ୍ଏସି ନିର୍ବାହୀ ଅଧିକାରୀ ଏମ୍ ଶ୍ରୀନିବାସ ଚନ୍ଦ୍ରଭାଗା ତୀର୍ଥ ଓ ଏହାର ପାରିପାର୍ଶ୍ବିକ ବିକାଶ ପାଇଁ ଆବଶ୍ୟକ ଥିବା ବିଭିନ୍ନ କାର୍ଯ୍ୟ ଓ ଦିଗ ସଂପର୍କରେ ପ୍ରଶାସନିକ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ।