ଭୁବନେଶ୍ୱର : ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ଶୁକ୍ରାର ନୂଆ ବର୍ଷରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଅସିତ ତ୍ରିପାଠୀ ଅବସର ଗ୍ରହଣ କରିବା ପରେ ସେ ଏହି ପଦରେ ଅବସ୍ଥାପିତ ହୋଇଛନ୍ତି । ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ମହାପାତ୍ର ୧୪ ମାସ ଅର୍ଥାତ ୨୦୨୨ ଫେବ୍ରୁଆରି ଯାଏ ସେ ଏହି ପଦବିରେ କାର୍ଯ୍ୟ କରିବେ ବୋଲି ଜଣାଯାଇଛି ।
ପ୍ରଶାସନିକ ମହଲରେ ଜଣେ ଦକ୍ଷ ଅଧିକାରୀ ଭାବେ ଜଣାଶୁଣା ଶ୍ରୀ ମହାପାତ୍ର ୧୯୮୬ ମସିହାରେ ସର୍ବଭାରତୀୟ ସେବାରେ ଯୋଗଦାନ କରିଥିଲେ । ଓଡ଼ିଶା କ୍ୟାଡରର ଏହି ଅଧିକାରୀ ତାଙ୍କର ଦୀର୍ଘ ୩୪ ବର୍ଷର ଚାକିରି ଜୀବନରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦବୀରେ ସଫଳତାର ସହ କାର୍ଯ୍ୟ କରି ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ।
ତାଙ୍କର ଚାକିରି ଜୀବନ ଆରମ୍ଭ ହୋଇଥିଲା ନୂଆପଡ଼ା ଜିଲ୍ଲାରୁ । ଏହାପରେ ୧୯୯୦ରେ ପୁରୀ ଜିଲ୍ଲାର ଏଡିଏମ୍ ଭାବେ ଅବସ୍ଥାପିତ ହୋଇଥିଲେ ସୁରେଶ ଚନ୍ଦ୍ର ମହାପାତ୍ର । ଘଟଣାଚକ୍ରରେ ଜଗନ୍ନାଥ ଧାମ ପୁରୀ ସହ ତାଙ୍କର ଗଢ଼ି ଉଠିଥିଲା ନିଆରା ସଂପର୍କ । ୧୯୯୬ ମସିହାରେ ମହାପ୍ରଭୁଙ୍କ ନବକଳେବର ସମୟରେ ସେ ପୁରୀର ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ । ଏହି ସମୟରେ ଶ୍ରୀମନ୍ଦିର ମେଘନାଦ ପାଚେରୀ ଚତୁଃପାର୍ଶ୍ୱରେ ଥିବା ଜବରଦଖଲକୁ ହଟାଇ ନବକଳେବର ଯାତ୍ରା ସୁରୁଖୁରୁରେ ସଂପନ୍ନ ହେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ସେ । ପରବର୍ତ୍ତୀ ସମୟରେ ସେ ପୁରୀ ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଭାବେ ନିଯୁକ୍ତ ହୋଇଥିଲେ । ଦୀର୍ଘ ୩ ବର୍ଷ ଧରି ସେ ଏହି ପଦବୀରେ ରହି ମନ୍ଦିର ପରିଚାଳନାକୁ ଶୃଙ୍ଖଳିତ କରିବାରେ ବ୍ରତୀ ରହିଥିଲେ । ତେବେ ଏହାପରେ ୨୦୧୫ ମସିହାରେ ଶ୍ରୀଜଗନ୍ନାଥଙ୍କ ନବକଳେବରର ଅବ୍ୟବହିତ ପୂର୍ବରୁ ତାଙ୍କୁ ପୁଣି ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ ଭାବେ ଅବସ୍ଥାପିତ କରାଯାଇଥିଲା । ଜଗନ୍ନାଥ ମନ୍ଦିର ସହ ତାଙ୍କର ସଂପର୍କ ଏବେ ବି ଅତୁଟ ରହିଛି, ସଂପ୍ରତି ସେ ଶ୍ରୀମନ୍ଦିର ପରିଚାଳନା ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ ରହିଛନ୍ତି ।
.ସେହିପରି ଦଙ୍ଗାଗ୍ରସ୍ତ ଜିଲ୍ଲାରେ ପରିସ୍ଥିତି ସୁଧାରିବାରେ ଶ୍ରୀ ମହାପାତ୍ରଙ୍କର ରହିଛି ବିଶେଷ ଦକ୍ଷତା ଓ ଅଭିଜ୍ଞତା । ୧୯୯୩ ମସିହାରେ ସଂପ୍ରଦାୟିକ ଦଙ୍ଗାଗ୍ରସ୍ତ ହୋଇଥିବା ନବଗଠିତ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଥିଲା ତାଙ୍କୁ । ଏହାପରେ କନ୍ଧମାଳ ଜିଲ୍ଲାରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଏହାର ନିୟନ୍ତ୍ରଣ ଲାଗି ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଙ୍କୁ ସେଠାକୁ ଜିଲ୍ଲାପାଳ ଭାବେ ପଠାଇଥିଲେ । କନ୍ଧମାଳରେ ଅତ୍ୟନ୍ତ ଦକ୍ଷତାର ସହିତ ସେ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ । ୨୦୦୮ ମସିହାରେ ପୁଣି ଥରେ ଦଙ୍ଗାଗ୍ରସ୍ତ ହୋଇଥିଲା କନ୍ଧମାଳ ଜିଲ୍ଲା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ମହାପାତ୍ରଙ୍କୁ ସେଠାକୁ ପଠାଇଥିଲେ ।
ନିଜର କାର୍ଯ୍ୟକାଳ ଭିତରେ ସେ କଟକର ଆରଡିସି, ଶକ୍ତି ସଚିବ, ଜଳ ସମ୍ପଦ ସଚିବ ଏବଂ ଜଙ୍ଗଲ ବିଭାଗର ସଚିବ ଭାବେ ପ୍ରାୟ ୧୦ ବର୍ଷ ଅତିବାହିତ କରିଥିଲେ । ଏହି ସମୟ ମଧ୍ୟରେ ଶ୍ରୀ ମହାପାତ୍ର ବହୁ ସଫଳତାର ସହିତ ମେଗା ଲିଫ୍ଟ, ଡିପ୍ ବୋରୱେଲ୍, ଚେକ୍ ଡ୍ୟାମ୍ ଏବଂ ଇକୋ ଟୁରିଜିମ୍ ଭଳି ଅଭିନବ ଯୋଜନାର ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମଗୁଡିକ ଖୁବ୍ ସଫଳ ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ସଫଳ ଯୋଜନା ଭାବେ ପରିଗଣିତ ହୋଇଥିଲା ।
ଏଥିସହିତ ବରିଷ୍ଠ ପ୍ରଶାସକ ସୁରେଶ ମହାପାତ୍ର ଓମଫେଡ୍ ପରିଚାଳନା ନିର୍ଦ୍ଦେଶକ, ସେସୁର ସିଇଓ ଏବଂ ଗ୍ରିଡକୋର ସିଏମଡି ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ରହି ରାଜ୍ୟ ସରକାରଙ୍କ ବ୍ୟାବସାୟିକ ସଂସ୍ଥାକୁ ସୁପରିଚାଳିତ କରିଥିଲେ । ରାଜ୍ୟ ପ୍ରଶାସନର ମୁଖିଆ ଭାବେ ସେ ଦୀର୍ଘ ସମୟ ଅତିବାହିତ କରିବେ । ଏହି ସମୟ ମଧ୍ୟରେ ରାଜ୍ୟବାସୀ ତାଙ୍କ ଠାରୁ ଏକ ପାରଦର୍ଶୀ ଓ ବିକାଶୋନ୍ମୁଖୀ ପ୍ରଶାସନର ଅପେକ୍ଷା ରଖନ୍ତି ।
୧୯୬୨ ମସିହାରେ ଶ୍ରୀ ମହାପାତ୍ର ଦେବଗଡ଼ ଜିଲ୍ଲାର କନସର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । କେଉଁଝରର ଡିଏନ୍ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ରେଭେନ୍ସା କଲେଜରୁ ୧୯୮୨ରେ ବିଏସସି ପାସ କରିଥିଲେ ସେ । ଏହାପରେ ୧୯୮୫ରେ ସେ ଆଇଏସମ୍, ଧାନବାଦରୁ ଏମଏସସି ଟେକ୍ ପାଠ୍ୟକ୍ରମ ସମାପ୍ତ କରି ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦାନ କରିଥିଲେ ।