ଆଇଏଏସ୍ ବିଜୟ କେତନଙ୍କୁ ମିଳିଲା ଜାମିନ

ଲାଂଚ ନେବା ଅଭିଯୋଗରେ ହୋଇଥିଲେ ଗିରଫ

ଭୁବନେଶ୍ୱର: ଲାଂଚ ନେଇଥିବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଆଇଏଏସ୍ ବିଜୟ କେତନ ଉପାଧ୍ୟାୟଙ୍କୁ ମିଳିଲା ଜାମିନ । ତାଙ୍କୁ ଓଡ଼ିଶା ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । କିନ୍ତୁ ନିମ୍ନ ଅଦାଲତ ଜାମିନର ସର୍ତ ସ୍ଥିର କରିବେ ହାଇକୋର୍ଟ କହିଛନ୍ତି।

ସ୍ବତନ୍ତ୍ର  ଭିଜିଲାନ୍ସ ଅଦାଲତରେ ତାଙ୍କର ଜାମିନ ଆବେଦନ ଖାରଜ ହେବାପରେ ସେ ଗତ ୧୪ ତାରିଖ ଦିନ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗିରଫ ପରେ ପଚରା ଉଚରା ପାଇଁ ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଆଉ ଏହା ପରେ ୫ ତାରିଖ ଯାଏଁ ତାଙ୍କୁ ରିମାଣ୍ଡରେ ନେଇଥିଲା ଭିଜିଲାନ୍ସ । ତେବେ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କର ଜାମିନ ଆବେଦନ ଖାରଜ ହୋ‌ଇଥିଲା।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁୁ ବିଭାଗର କାର୍ଯ୍ୟକାରୀତା ନେଇ ମତାମତ ସଂଗ୍ରହ ସମୟରେ ଉଦ୍ୟାନ ବିଭାଗରେ ବ୍ୟାପକ ଲାଂଚ କାରବାର ହେଉଥିବା ସୂଚନା ଆସିଥିଲା। ଏଥିସହ ନିର୍ଦ୍ଦେଶକ ଦୁର୍ନୀତିରେ ଜଡ଼ିତ ବୋଲି ଅଭିଯୋଗ ଆସିଥିଲା। ଏହାପରେ ଉପରୋକ୍ତ ସୂଚନାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ବିଜୟ କେତନଙ୍କୁ ଧରିବାର ପ୍ରାୟ ୧୦ ଦିନ ପୂର୍ବରୁ ଭିଜିଲାନ୍ସ ପକ୍ଷରୁ କୃଷି ବିଭାଗ ଅଧିନସ୍ଥ ଉଦ୍ୟାନ ନିର୍ଦ୍ଦେଶାଳୟ ଉପରେ ସତର୍କ ଦୃଷ୍ଟି ରଖାଯାଇଥିଲା।