ଆଇଏଏସ ଅଫିସର ଅପରାଜିତାଙ୍କ ଇଶାରା ଚାକିରି ଛାଡି ବିଜେପିରେ ମିଶିବେ !

ଭୁବନେଶ୍ବର : ଆଇଏଏସ ଚାକିରି ଛାଡି ରାଜନୀତିରେ ଯୋଗଦେବେ ଅପରାଜିତା ଷଡ଼ଙ୍ଗୀ । ପୁଣି ମାଡାମ କୁଆଡ଼େ ବିଜେପିରେ ଯୋଗଦେବେ ବୋଲି ଜୋରଦାର ଚର୍ଚ୍ଚା ହେଉଛି । ଯେହେତୁ ତାଙ୍କ ଟୁଇଟର ପେଜ୍ ରେ ସେ କିଛି ବିଜେପି ନେତା ଓ ପ୍ରଧାନମନ୍ତ୍ରୀଙ୍କୁ ଫଲୋ କରୁଛନ୍ତି ବୋଧହୁଏ ସେଥିପାଇଁ ଏଭଳି ଚର୍ଚ୍ଚା ହୋଇଥାଇପାରେ । ପଲିଟିକ୍ସ୍ରେ ଅପରାଜିତାଙ୍କ ଏଣ୍ଟ୍ରି ଚର୍ଚ୍ଚାକୁ ନେଇ ଓଡିଶା ରାଜନୀତିରେ ବି କିଛି କମ୍ ହଲାପଟା ହେଉନି । ଯେହେତୁ ଜଣେ ଭଲ ବ୍ୟୁରୋକ୍ରାଟ୍ ହିସାବରେ ଅପରାଜିତା ଷଡ଼ଙ୍ଗୀ କେବଳ ଅମଲାତନ୍ତ୍ର ଭିତରେ ନୁହେଁ ବରଂ ସାଧାରଣ ଲୋକଙ୍କ ପାଖରେ ଏକ ପରିଚିତ ନାଁ ସେଥିପାଇଁ ହୁଏତ ତାଙ୍କ ନାଁକୁ ନେଇ ଏମିତି ଚର୍ଚ୍ଚା ଚାଲିଛି ।

ଗଲା କିଛି ଦିନ ହେଲା ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବାକୁ ଚାହୁଁଛନ୍ତି ବୋଲି ଶୁଣିବାକୁ ମିଳୁଥିଲା । ଆଉ ଶେଷରେ ସେୟା ହିଁ ହେଲା । ଦୁଇଦିନ ତଳେ ମାଡାମ ଅପରାଜିତା ଷଡ଼ଙ୍ଗୀଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ଅନୁମୋଦନ କଲେ ସରକାର । କିନ୍ତୁ ଆଇଏଏସ୍ ଅପରାଜିତା ମହାନ୍ତି ହଠାତ୍ କାହିଁକି ଏଭଳି ନିଷ୍ପତି ନେଲେ ତାକୁ ନେଇ ଚର୍ଚ୍ଚା ହେଉଥିଲା । ହେଲେ ଏବେ ଆଉ ଗୋଟେ କଥା ସାମ୍ନାକୁ ଆସିଲାଣି । ମାଡାମ କୁଆଡ଼େ ଚାକିରି ଛାଡ଼ି ରାଜନୀତିରେ ଯୋଗଦେବାକୁ ଯାଉଛନ୍ତି । ଯେଉଁ ଢ଼ଙ୍ଗରେ ମାଡାମ ସୋସିଆଲ ମିଡିଆରେ ନିଜର ମତ ସ୍ପଷ୍ଟଭାବେ ରଖୁଛନ୍ତି ସେଥିରୁ ଜଣାପଡୁଛି ଯେ, ସେ ତାଙ୍କ ୨୪ ବର୍ଷର ଅମଲା ଜୀବନ ଛାଡି ରାଜନୀତି ମୈଦାନକୁ ଲମ୍ଫ ଦେବେ ।

ତାଙ୍କର ସ୍ବେଛାକୃତ ଅବସର ଆବେଦନକୁ ମାତ୍ର ୨ଦିନ ଭିତରେ ଅନୁମୋଦନ ମିଳିଥିବାରୁ ଏନେଇ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି, ପରବର୍ତ୍ତୀ କାର‌୍ୟ୍ୟପନ୍ଥା ପାଇଁ ସେ ପୂରା ପ୍ରସ୍ତୁତ । ଆଉ ଏକ ଟୁଇଟ୍ ରେ ଅପରାଜିତା ଲେଖିଛନ୍ତି ଯେ ଜଗନ୍ନାଥଙ୍କ ରଥକୁ ଜଣେ ନୁହେଁ ସମସ୍ତେ ମଳିମିଶି ଟାଣନ୍ତି । ତେଣୁ ଏକ ବଡ ସଫଳତା ପାଇଁ ମୁଁ ନୁହେଁ ଆମେ ହିଁ କରିପାରିବାରେ ଅସୁବିଧା ନାହିଁ । ରାଜନୀତିରେ ସେ ମିଶୁଛନ୍ତି କି ବୋଲି ପ୍ରଶ୍ନର ଉତ୍ତରରେ ଲେଖିଛନ୍ତି, ସେ ଚ୍ୟାଲେଞ୍ଜକୁ ସବୁ ବେଳେ ଭଲ ପାଆନ୍ତି । କଥା ଏତିକିରେ ଅଟକିନି, ପ୍ରଧାନମନ୍ତ୍ରୀଙ୍କ ଅଫିସ ଓ ମୋଦିଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ବିଜେପି ନେତାଙ୍କୁ ଟୁଇଟରରେ ଫଲୋ କରୁଥିବାରୁ ମାଡାମ ଆଗକୁ କାଳେ ବିଜେପିରେ ଯୋଗଦେବେ ସେ ନେଇ ଜୋର୍ ଧରିଛି ଚର୍ଚ୍ଚା । ସେପଟେ ବିଜେପି ମଧ୍ୟ ଅପରାଜିତାଙ୍କୁ ସ୍ବାଗତ କରିବାକୁ ପୂରା ପ୍ରସ୍ତୁତ ।

ଅପରାଜିତାଙ୍କୁ ଦଳକୁ ନେବାକୁ ଖାଲି ବିଜେପି କାହିଁକି ବିଜେଡି ବି ପ୍ରସ୍ତୁତ । ଦଳୀୟ ନେତା କହୁଛନ୍ତି ଯଦି ମାଡାମ୍ ଚାହିଁବେ ତାହେଲେ ତାଙ୍କ କଥା ଦଳ ବିଚାର କରିବ । ସେପଟେ ବିଜେପି ଆଉ ବିଜେଡିର ଏମନ୍ତ ବୟାନବାଜିକୁ ଦେଖି କଂଗ୍ରେସ ମଧ୍ୟ ମାପିଚୁପି ତୀର ଛାଡ଼ିଛି ।
ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀ ଜଣେ ଦକ୍ଷ ଅଫିସର ଭାବେ ବେଶ ନାଁ କମାଇଛନ୍ତି । ଭୁବନେଶ୍ବର ମୁନିସିପାଲ କର୍ପୋରେସନର କମିଶନର ଥିବା ବେଳେ ମାଡାମ୍ ଅନେକ କାମ କରି ଚର୍ଚ୍ଚାକୁ ଆସିଥିଲେ । ଆଜି ଯେଉଁ ପ୍ରୋଗ୍ରେସ ଥ୍ରୁ ପାର୍ଟନରସିପ କଥା କୁହାଯାଉଛି ତାହା ଅପରାଜିତାଙ୍କ ସମୟରୁ ହିଁ ଆରମ୍ଭ ହୋଇଛି । ସେହିଭଳି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଥିବା ବେଳେ ସ୍କୁଲ ଦିଦିଙ୍କ ଯୁନିଫର୍ମ ଠାରୁ ଆରମ୍ଭ କରି ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରି ଖୁବ୍ ପ୍ରଶଂସା ସାଉଣ୍ଟିଛନ୍ତି ଅପରାଜିତା ଷଡ଼ଙ୍ଗୀ । ହେଲେ ଏବେ ଦେଖିବାର କଥା ମାଡାମ ରାଜନୀତିର ନୂଆ ଇନିଙ୍ଗ୍ସକୁ କିଭଳି ଫେସ୍ କରୁଛନ୍ତି ।