ପଦ୍ମ ଧରି ଓଡ଼ିଶା ଫେରିଲେ ଅପରାଜିତା, ରବିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସ୍ବତନ୍ତ୍ର ସ୍ବାଗତ

ଭୁବନେଶ୍ବର : ଓଡ଼ିଶା ଫେରିଲେ ଅପରାଜିତା । ଏଥର ସେ ଜଣେ ରାଜନେତ୍ରୀ ଭାବେ ଓଡ଼ିଶା ଫେରିଛନ୍ତି । ଭୁବନେଶ୍ବରରେ ବିମାନ ବନ୍ଦରରେ ପହଞ୍ଚିବା ପରେ ବିଜେପି ପକ୍ଷରୁ ଅପରାଜିତାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ପରେ ମାଡାମ୍ ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ବିନ୍ଦୁସାଗର କୂଳରେ କିଛି ସମୟ ବୁଲି ଲୋକଙ୍କ ସହ କଥା ହୋଇଥିଲେ । ଆସନ୍ତା ରବିବାର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅପରାଜିତାଙ୍କୁ ସ୍ବତନ୍ତ୍ର ଭାବେ ସ୍ବାଗତ କରାଯିବ ।

ପଦ୍ମ ଧରି ଓଡ଼ିଶା ଫେରିଲେ ଅପରାଜିତା । ଦିଲ୍ଲୀରେ ବିଜେପିରେ ମିଶିବା ପରେ  ଓଡ଼ିଶା ଫେରିଛନ୍ତି ଅବସରପ୍ରାପ୍ତ ଆଇଏଏସ ଅଫିସର ଅପରାଜିତା ଷଡ଼ଙ୍ଗୀ । ବିମାନ ବନ୍ଦରରେ ପହଞ୍ଚିବା ପରେ ଭୁବନେଶ୍ବର ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ତା ପରେ ସିଧା ଲିଙ୍ଗରାଜ ମନ୍ଦିର ଯାଇଥିଲେ ଅପରାଜିତା । ମହାପ୍ରଭୁଙ୍କ ଦର୍ଶନ ପରେ କିଛି ଦୋକାନୀଙ୍କ ସହ କଥା ହୋଇଥିଲେ । ପରେ ବିନ୍ଦୁ ସାଗର ବୁଲିବା ବେଳେ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ସେ । ରାଜ୍ୟର ବିକାଶ ପାଇଁ ସ୍ବଚ୍ଛ ରାଜନୀତି କରିବାକୁ ଆସିଥିବା କହିଛନ୍ତି ଅପରାଜିତା ।

ଆଇଏଏସ ଚାକିରୀରୁ ଅବସର ନେଇ ରାଜନୀତିରେ ଯୋଗ ଦେବା ଯାଏଁ ଚର୍ଚ୍ଚାରେ ରହିଛନ୍ତି ଅପରାଜିତା । ବିଜେପି ତାଙ୍କୁ ମହିଳାଙ୍କ ଆଇକନ ଭାବେ ଉପସ୍ଥାପିତ କରି ମାଇଲେଜ ନେବାକୁ ଚାହୁଁଛି । ଡିସେମ୍ବର ପହିଲାରେ ଆନୁଷ୍ଠାନିକ ଭାବେ ରାଜ୍ୟ କାର୍ଯ୍ୟାଳୟରେ ଅପରାଜିତାଙ୍କୁ ସ୍ବାଗତ କରିବ ବିଜେପି ।

ମୋଦି ମନ୍ତ୍ରରେ ମନ୍ତ୍ରମୁଗ୍ଧ ହୋଇ ବିଜେପିକୁ ଆସିଛନ୍ତି ଅପରାଜିତା । ତେବେ ଦଳ ତାଙ୍କୁ କି ପଦ ଦେଉଛି, କେଉଁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରୁଛି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।