ପଦ୍ମ ଧରିଲେ ଆଇଏଏସ ଅପରାଜିତା, ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିରେ ମିଶିଲେ

ନୂଆଦିଲ୍ଲୀ: ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡଙ୍ଗୀ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀରେ ଅମିତ ଶାହଙ୍କ ଘରେ ପଦ୍ମ ଧରିଛନ୍ତି ଏହି ବ୍ୟୁରୋକ୍ରାଟ । ଏହି କାର୍ଯ୍ୟକ୍ରମରେ ବିଜେପିର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ ।

ପୂର୍ବ ଘୋଷଣା ମୁତାବକ ଆଜି ସକାଳୁ ଅମିତ ଶାହଙ୍କ ଘରେ ପହଞ୍ଚିଥିଲେ ଅପରାଜିତ । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।ସମସ୍ତଙ୍କ ଉପସ୍ଥିତିରେ ସେ ବିଜେପିରେ ସମାଲ ହୋଇଛନ୍ତି ।  ରାଜନୀତିରେ ବହୁ ଚାଲେଞ୍ଜ ଅଛି । ଏବଂ ସେ ବିଶ୍ୱାସ ରଖିଛନ୍ତି ଯେ, ଏହି ଚାଲେଞ୍ଜକୁ ଗ୍ରହଣ କରି ସଫଳ ହେବେ ।

୧୯୯୪ ବ୍ୟାଚର ଓଡ଼ିଶା କ୍ୟାଡର ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ସ୍ୱେଚ୍ଛାକୃତ ଭାବେ ନିଜ ଚାକିରୀରୁ ଅବସର ନେବା ପାଇଁ କରିଥିବା ଆବେଦନକୁ ପ୍ରଧାନମନ୍ତ୍ରୀ ଅନୁମୋଦନ ଦେଇଥିଲେ । ରାଜ୍ୟରେ ଜଣେ ଦକ୍ଷ ଆଇଏଏସ୍‌ ଅଧିକାରୀ ଭାବେ ସେ ବେଶ ଜଣାଶୁଣା । ତାଙ୍କର କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଥିଲା । ସେ ରାଜ୍ୟ ବୟନଶିଳ୍ପ ଓ ଗଣଶିକ୍ଷା ସଚିବ ଥିଲେ । ପରେ କେନ୍ଦ୍ରରେ ସେ ଗ୍ରାମୀଣ ବିକାଶ ସଚିବ ଭାବେ ଯୋଗଦେଇଥିଲେ ।

ବିଶେଷତଃ ୨୦୦୬ରୁ ୨୦୦୯ ବେଳେ ସେ ବିଏମସି କମିଶନର ଥିବାବେଳେ ତାଙ୍କ କାର୍ଯ୍ୟ ପ୍ରଶଂସାଯୋଗ୍ୟ ହୋଇଥିଲା ଏବଂ ସେ ବହୁଳ ଭାବେ ଚର୍ଚ୍ଚିତ ହୋଇଥିଲେ । ସେହି ସମୟରେ ସେ ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱ ଦେଇଥିଲେ । ତାଙ୍କର ବଳିଷ୍ଠ ନେତୃତ୍ୱ, ତତକ୍ଷଣାତ୍ କାର୍ଯ୍ୟ ଓ ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।

ପୂର୍ବରୁ ସେ ବିଜେପିରେ ମିଶିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ତେବେ ଆଜି ନଭେମ୍ବର ୨୭ ତାରିଖ ଦିନ ସେ ନୂଆଦିଲ୍ଲୀରେ ଗେରୁଆ ରଙ୍ଗରେ ରଙ୍ଗେଇ ହେବେ । ତେବେ ଅପରାଜିତାଙ୍କ ଭଳି ଜଣେ ଦକ୍ଷ ବ୍ୟକ୍ତି ବିଜେପିରେ ଯୋଗଦେଲେ ବିଜେପି ଦଳ ଆହୁରି ମଜଭୂତ ହେବ ବୋଲି ରାଜନୀତି ସମୀକ୍ଷକମାନେ ମତବ୍ୟକ୍ତ କରିଛନ୍ତି । ତାଙ୍କର ଯୋଗଦାନକୁ ନେଇ ଚାରିଆଡେ ପ୍ରଚାର ହେବା ପରେ ବିଜେପି ନେତାମାନେ ମଧ୍ୟ ଅପରାଜିତାଙ୍କ ଏହି ନିଷ୍ପତିକୁ ସ୍ୱାଗତ ଜଣାଇଛନ୍ତି ।